ନୂଆଦିଲ୍ଲୀ, ୧୩/୧୦: ଭୋଟ୍ ଚୋରି ଅଭିଯୋଗ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କ ମିଳିତ ଆବେଦନରେ ୧୪ଟି ତ୍ରୁଟି ରହିଥିବା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିରେ କୋର୍ଟ ଫି’ ବାବଦରେ ୨୨୦ ଟଙ୍କା କମ୍ ଦାଖଲ ହୋଇଥିବା ମଧ୍ୟ ଉଲ୍ଲେଖ ରହିଛି। ଏହା ସହ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣଙ୍କ ଆବଶ୍ୟକ ଅନୁମତିପତ୍ର ନଥିବା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରିଚୟପତ୍ରର ନକଲ ସ୍ପଷ୍ଟ ନଥିବା ଭଳି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି।
ସୁପ୍ରିମକୋର୍ଟର ରେଜିଷ୍ଟ୍ରି ପକ୍ଷରୁ ଚିହ୍ନଟ ହୋଇଥିବା ତ୍ରୁଟିଗୁଡ଼ିକ ମଧ୍ୟରେ କେତେକ ଆବଶ୍ୟକ ‘ବକାଲତନାମା’ ବା ଲିଖିତ ଆଇନଗତ ଡକ୍ୟୁମେଣ୍ଟ ଦାଖଲ ହୋଇନାହିଁ। ବକାଲତନାମା ହେଉଛି ଓକିଲଙ୍କୁ ମାମଲା ପରିଚାଳନା ପାଇଁ ଦିଆଯାଉଥିବା ଲିଖିତ ଅନୁମତିପତ୍ର। ଏହା ବ୍ୟତୀତ କେତେକ ଦସ୍ତାବିଜ୍ରେ ଅକ୍ଷର ଅତ୍ୟଧିକ ଛୋଟ ଥିବା, ଦୁଇଟି ନିର୍ଦ୍ଦିଷ୍ଟ ଦସ୍ତାବିଜ୍ର ରଙ୍ଗିନ ନକଲ ଦାଖଲ ନହେବା ଏବଂ କିଛି ପୃଷ୍ଠାର ଲେଖା ଅସ୍ପଷ୍ଟ ଥିବା ଭଳି ସମସ୍ୟା ରହିଛି।
ସେହିପରି କେତେକ ପୃଷ୍ଠା ନଥିବା, ଆଞ୍ଚଳିକ ଭାଷାରେ ଥିବା ପୃଷ୍ଠା ସମ୍ବନ୍ଧୀୟ ତ୍ରୁଟି ଏବଂ ପୃଷ୍ଠାଗୁଡ଼ିକର କ୍ରମିକ ସଂଖ୍ୟାରେ ଅସଙ୍ଗତି ମଧ୍ୟ ରେଜିଷ୍ଟ୍ରି ଦର୍ଶାଇଛି। ଆବେଦନରେ ଥିବା ଏହି ତ୍ରୁଟିଗୁଡ଼ିକୁ ସୁଧାରିବା ପରେ ହିଁ ଏହା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ।
ଏହି ମିଳିତ ଆବେଦନରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, ସୁପ୍ରିୟା ସୁଲେ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ, ଡି. ରାଜା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମହୁଆ ମାଝୀ, ଏମ୍.ଏ. ବେବି ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ନେତା ଇ.ଟି. ମହମ୍ମଦ ବଶୀରଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ସାମିଲ ଅଛନ୍ତି।
ଏହି ଆବେଦନରେ ଭାରତୀୟ ନିର୍ବାଚନ ଆୟୋଗ (ECI), ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
‘ରାହୁଲ ଗାନ୍ଧୀ ବନାମ ଭାରତୀୟ ନିର୍ବାଚନ ଆୟୋଗ’ ନାମରେ ଉଲ୍ଲେଖ ଥିବା ଏହି ଆବେଦନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୦ଟି ପ୍ରମୁଖ ଦାବି କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସହ ଜଡ଼ିତ ସମସ୍ତ ରେକର୍ଡ ଉପସ୍ଥାପନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା, SIR ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭଳି ଦାବି ରହିଛି।
ଏହା ସହ ଆବେଦନକାରୀଙ୍କ ଅଭିଯୋଗର ସମାଧାନ, ସ୍ୱାଧୀନ କମିଟି ଦ୍ୱାରା ଅଡିଟ୍ ବା ଯାଞ୍ଚ କରାଇବା ସମେତ ଅନ୍ୟାନ୍ୟ ପ୍ରତିକାର ଦାବି ମଧ୍ୟ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ କଥିତ ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ବିରୋଧୀ ଦଳଗୁଡ଼ିକ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସୋମବାର ଦିଲ୍ଲୀରେ ହଜାର ହଜାର ବିରୋଧୀ ନେତା ଓ ସମର୍ଥକ ଏକାଠି ହୋଇ ନିର୍ବାଚନରେ ଅନିୟମିତତା ଅଭିଯୋଗ ଏବଂ SIRକୁ ବିରୋଧ କରି ସୁପ୍ରିମକୋର୍ଟ ଅଭିମୁଖେ ମାର୍ଚ୍ଚ କରିଥିଲେ। ଏହା ପୂର୍ବରୁ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ସାକ୍ଷାତ କରି ଦାବିପତ୍ର ଦେବାକୁ ବିରୋଧୀ ନେତାମାନେ ଉଦ୍ୟମ କରିଥିଲେ। ତେବେ ମାମଲାଟି ବିଚାରାଧୀନ ଥିବାରୁ ମୁଖ୍ୟ ବିଚାରପତି ସାକ୍ଷାତ ପାଇଁ ଅନୁରୋଧ ଗ୍ରହଣ କରିନଥିଲେ।