୬୫ ଲକ୍ଷରୁ ଅଧିକ ସରକାରୀ ଅର୍ଥ ହଡ଼ପ: ବରିଷ୍ଠ କିରାଣିଙ୍କ ସମେତ ୩ ଗିରଫ

ବନ କର୍ମଚାରୀଙ୍କ ଦରମା ଓ ପେନସନ ହଡ଼ପ କରୁଥିଲେ

ଢେଙ୍କାନାଳ, ୧୮/୧୦: ଦୀର୍ଘ ୧୦ ବର୍ଷ ଧରି ସରକାରୀ ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗରେ ଭିଜିଲାନ୍ସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବନ କର୍ମଚାରୀଙ୍କ ଦରମା ଏବଂ ପେନସନ୍ ଅର୍ଥକୁ ବେଆଇନ ଭାବେ ବିଭିନ୍ନ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଡିଏଫ୍‌ଓ ଅଫିସର ବରିଷ୍ଠ କିରାଣି ସୁଜିତ କୁମାର ଜେନା, ସୁଜିତଙ୍କ ସମ୍ପର୍କୀୟ ଭାଇ ରଶ୍ମିରଞ୍ଜନ ସ୍ବାଇଁ ଓ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ସଦସ୍ୟ ସୌମ୍ୟରଞ୍ଜନ ବେହେରା।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟ ଅଭିଯୁକ୍ତ ତଥା ଡିଏଫ୍‌ଓ ଅଫିସର ବରିଷ୍ଠ କିରାଣି ସୁଜିତ ଜେନା ୨୦୧୬ ମସିହାରୁ ଏହି ହେରଫେର୍ ଜାଲିଆତି ଚଳାଇଥିଲେ। ଗତ ୧୦ ବର୍ଷ ଭିତରେ ସେ ମୋଟ ୬୫ ଲକ୍ଷ ୯୦ ହଜାର ଟଙ୍କା ସରକାରୀ ରାଜକୋଷରୁ ହଡ଼ପ କରିସାରିଛନ୍ତି। ବନ ବିଭାଗର କର୍ମଚାରୀମାନଙ୍କର ପ୍ରାପ୍ୟ ଦରମା ଏବଂ ଭତ୍ତାକୁ ହଡ଼ପ କରୁଥିଲେ।

ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଏହି ଅର୍ଥ ହଡ଼ପ ପାଇଁ ସୁଜିତ ତାଙ୍କ ବନ୍ଧୁ ଓ ପରିବାର ଲୋକଙ୍କୁ ବ୍ୟବହାର କରିଥିଲେ। ଏପରିକି ସୁଜିତ ନିଜ ମାଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଏହି ଠକେଇରୁ ୮ ଲକ୍ଷ ୭୨ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ।

ଭିଜିଲାନ୍ସ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଘରୋଇ ଜାଲିଆତିର ପର୍ଦ୍ଦାଫାଶ କରିଛି। ଗିରଫ ତିନିଜଣଙ୍କୁ ଜେରା କରାଯିବା ସହ ଏହି ଦୁର୍ନୀତିରେ ଅନ୍ୟ କାହାର ହାତ ଅଛି କି ନାହିଁ ଏବଂ ଅଧିକ ଟଙ୍କା କେଉଁଆଡ଼େ ଯାଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।