ବରଗଡ଼, ୧୮/୧୦: ବରଗଡ଼ ଉପକଣ୍ଠ ସୟାଁ ଛକଠାରେ ଚଳିତବର୍ଷ ଅତ୍ୟନ୍ତ ମହାସମାରୋହରେ ସାର୍ବଜନୀନ ଦୂର୍ଗାପୂଜା ଅନୁଷ୍ଠିତ ହେଉଛି। ମା’ ଜଗତଜନନୀ ଦୁର୍ଗାଙ୍କ ଆଗମନରେ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଦିନକୁ ଦିନ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମୁଛି। ଏହି ପୂଜା ଅଞ୍ଚଳରେ ଭାଇଚାରା ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ବାର୍ତ୍ତା ବାଣ୍ଟୁଛି।
ପୂଜାଉତ୍ସବର ପ୍ରଥମ ଦିବସରେ ବିଶିଷ୍ଟ ସାମାଜିକ କର୍ମୀ ସୁବ୍ରତ ବିର୍ତ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ଏବଂ ବିଶ୍ୱର କଲ୍ୟାଣ ତଥା ସମାଜର ମଙ୍ଗଳ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହି ପୂଜାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏଠାକାର ପାରମ୍ପରିକ ପରିବେଶ। ସନ୍ଧ୍ୟା ସମୟରେ ଘଣ୍ଟ, ଘଣ୍ଟା ଏବଂ ପାରମ୍ପରିକ ଗଣ୍ଡାବଜାର ତାଳେ ତାଳେ ପୂଜାମଣ୍ଡପ ପ୍ରକମ୍ପିତ ହେଉଛି। ସାଙ୍ଗକୁ ଭଜନ ଓ ସଂକୀର୍ତ୍ତନର ସୁମଧୁର ସ୍ୱର ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରୁଛି।
ବିଧିବଦ୍ଧ ରୀତିନୀତି ଅନୁସାରେ ମୁଖ୍ୟ ପୂଜକ ପଣ୍ଡିତ ଗିରିଧାରୀ ମିଶ୍ର ପୂଜାର୍ଚ୍ଚନା ସମ୍ପାଦନ କରୁଛନ୍ତି। ସାର୍ବଜନୀନ ପୂଜାକୁ ସଫଳ ଓ ସୁରୁଖୁରୁରେ ପରିଚାଳନା କରିବାରେ କମିଟିର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। କମିଟିର ସଭାପତି ଚୋଳଗଙ୍ଗ ଖମାରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ପୂଜାଉତ୍ସବରେ ସଦସ୍ୟ ପରମେଶ୍ୱର ପ୍ରଧାନ, ଆକୁଳ ସାଇପାଳ, ଗଦନ ବନଛୋର, ଇ ଭେଙ୍କଟେଶ୍ଵର, ଗୁଲସନ୍ ପଣ୍ଡା, ଖାରବେଳ ଖମାରି ପ୍ରମୁଖ ସମସ୍ତ କାର୍ଯ୍ୟକୁ ଖୁବ୍ ସୁନ୍ଦର ଭାବେ ତୁଲାଉଛନ୍ତି।