ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟା ଯୋଗୁଁ ୧୯ ମୃତ
ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଘୋଷଣା
ପୂଜା ଆୟୋଜକଙ୍କ ସମେତ ୭ ଜଣଙ୍କୁ ଗିରଫ କଲା ପୋଲିସ
କୋଲକାତା, ୧୮/୧୦: କୋଲକାତାରେ ଦୁର୍ଗାପୂଜା ଉତ୍ସବ ମଧ୍ୟରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଶନିବାର ସନ୍ଧ୍ୟାରେ ଦଳାଚକଟା ହେବାରୁ ୧୯ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୨୫ ଜଣ ଆହତ ହୋଇଥିବା ନେଇ ଖବର ପ୍ରକାଶ ପାଇଛି। ମହାସପ୍ତମୀ ଅବସରରେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ମଣ୍ଡପରେ ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଆହତଙ୍କୁ ଉଦ୍ଧାର କରି କୋଲକାତା ମେଡିକାଲ କଲେଜ ଓ ଅନ୍ୟ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ ସମ୍ପୃକ୍ତ ପୂଜା ମଣ୍ଡପକୁ ଦର୍ଶକଙ୍କ ପାଇଁ ବନ୍ଦ କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ୭ଟା ୪୦ ମଧ୍ୟରେ ଏହି ଅଘଟଣ ଘଟିଥିଲା। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଚୋରବାଗାନ ମଣ୍ଡପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ହେବାରୁ ବାହାରେ ଥିବା ଲୋକମାନେ ଆଶ୍ରୟ ନେବା ପାଇଁ ମଣ୍ଡପର ପ୍ରବେଶପଥ ଆଡ଼କୁ ମାଡ଼ି ଆସିଥିଲେ। ଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ସଂକୀର୍ଣ୍ଣ ରାସ୍ତା ଏବଂ ଏକାସାଙ୍ଗରେ ଅଧିକ ଲୋକ ଯିବାକୁ ଚେଷ୍ଟା କରିବା ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିଲା। ଲୋକମାନେ ଠେଲାପେଲା ହେବା ସହ ଅନେକ ତଳେ ପଡ଼ିଯାଇଥିଲେ। ଏହାପରେ ଦଳାଚକଟା ସ୍ଥିତି ଉପୁଜିଥିଲା। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ। ଆହତମାନଙ୍କୁ ମଣ୍ଡପରୁ ବାହାର କରି ହସ୍ପିଟାଲ ପଠାଯାଇଥିଲା। କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଅନ୍ୟ ଚିକିତ୍ସାଳୟରେ ଆହତଙ୍କ ଚିକିତ୍ସା ଚାଲିଛି।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଅଧିକାରୀମାନଙ୍କଠାରୁ ଘଟଣା ସମ୍ପର୍କରେ ସୂଚନା ନେଇଥିଲେ। ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଘଟଣା ପରେ ଚୋରବାଗାନ ପୂଜା ମଣ୍ଡପକୁ ବନ୍ଦ କରିଦିଆଯାଇଛି। ଭିଡ଼ ଅଧିକ ଥିବା ଅନ୍ୟ କେତେକ ପୂଜା ମଣ୍ଡପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯାଇଛି।
ଏହି ଦୁର୍ଘଟଣା ପରେ କୋଲକାତା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୂଜା ଆୟୋଜକଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଏଥିରେ ପୂଜା କମିଟିର କିଛି ସଦସ୍ୟ, ସୁରକ୍ଷା କର୍ମୀ ଓ ଦାୟିତ୍ୱରେ ଥିବା କର୍ମଚାରୀ ସାମିଲ ଥିବା ରିପୋର୍ଟରେ କୁହାଯାଇଛି।
ମଣ୍ଡପରେ କେତେ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ଥିଲା, ଭିଡ଼ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଥିଲା, ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା କିପରି ଥିଲା ଏବଂ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ବାହାର କରିବା ପାଇଁ କି ପ୍ରସ୍ତୁତି ଥିଲା, ସେସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଉଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଫରେନସିକ୍ ତଥ୍ୟ ଆଧାରରେ ଦୁର୍ଘଟଣାର କାରଣ ଖୋଜାଯିବ।
ଅନ୍ୟପଟେ, ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତିର ମହାସଚିବଙ୍କ ସମେତ କାର୍ଯ୍ୟକାରିଣୀର ଅନ୍ୟ ପଦାଧିକାରୀମାନେ ଇସ୍ତଫା ଦେଇଥିବା ଖବର ମିଳିଛି। ଏହି ଘଟଣା ପରେ ପୂଜା ଆୟୋଜନରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ଅନୁସାରେ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦିଆଯିବ। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଗ୍ରୁପ୍-ଡି ବର୍ଗର ସରକାରୀ ଚାକିରି ଦିଆଯିବ।
ସେହିପରି ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଦେବା ସହ ସେମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା ହୋଇଛି।
ଅନ୍ୟପଟେ କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।
ଘଟଣାର ସଠିକ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ପାଇଁ ଅନୁରୋଧ କରିବେ ବୋଲି ସେ କହିଛନ୍ତି। ଏହି କମିଟିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ଓ ଫରେନସିକ୍ ଟିମ୍ ସମେତ ବିଶେଷଜ୍ଞମାନଙ୍କୁ ସାମିଲ କରିବା ନେଇ ଆଲୋଚନା ହୋଇଛି।
ଏହି ଦୁଃଖଦ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଘଟଣାରେ ଜୀବନହାନିକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ଓ ଉଦ୍ଧାର ବ୍ୟବସ୍ଥା ସମ୍ପର୍କରେ ସେ ଆଲୋଚନା କରିଛନ୍ତି।
ଘଟଣା ପରେ ଅମିତ ଶାହ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ରବିବାର ହସ୍ପିଟାଲରେ ଆହତଙ୍କୁ ଭେଟିବାକୁ ଯାଇଥିବା ଖବର ମିଳିଛି।