‘ସ୍ୱଚ୍ଛତା ଉତ୍ସବ–୨୦୨୬’ରେ ଯୋଗଦେଲେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର

ସ୍ୱଚ୍ଛ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସାମୂହିକ ଅଂଶଗ୍ରହଣ ଅପରିହାର୍ଯ୍ୟ

ଭୁବନେଶ୍ୱର, ୧୭/୧୦: ସ୍ୱଚ୍ଛତା ହେଉଛି ସୁସ୍ଥ ସମାଜ ଗଠନର ମୂଳଦୁଆ। ଏକ ସ୍ୱଚ୍ଛ ପରିବେଶ ଗଠନ ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରଠାରେ World Odisha Society ଏବଂ BM Foundationର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ୱଚ୍ଛତା ଉତ୍ସବ–୨୦୨୬’ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁରର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, World Odisha Societyର ଅଧ୍ୟକ୍ଷ ଶ୍ରୀ କିଶୋର ତ୍ରିବେଦୀ, BM Foundationର ଅଧ୍ୟକ୍ଷ ଡ. ବ୍ରଜ ପଣ୍ଡା, ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ମୀରା ମିଶ୍ର ଏବଂ ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ହରିଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ଏହି ଅବସରରେ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ସେମାନଙ୍କର ନିଷ୍ଠା, ସମର୍ପଣ ଓ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ସହ ଏହି ଉତ୍ସବ ସ୍ୱଚ୍ଛତା ଅଭିଯାନକୁ ଆହୁରି ବ୍ୟାପକ କରିବାରେ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ ଓ ନେତୃତ୍ୱରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଆଜି ଏକ ଜାତୀୟ ଜନଆନ୍ଦୋଳନର ରୂପ ନେଇଛି। ସ୍ୱଚ୍ଛତାକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ପ୍ରତ୍ୟେକ ନାଗରିକଙ୍କ ଜୀବନଶୈଳୀ ଓ ସାମାଜିକ ଦାୟିତ୍ୱରେ ପରିଣତ କରିବା ଏହି ମିଶନର ମୂଳ ଉଦ୍ଦେଶ୍ୟ। ଏହି ଅଭିଯାନ ଦେଶବ୍ୟାପୀ ସ୍ୱଚ୍ଛତା ପ୍ରତି ଜନସଚେତନତା ବୃଦ୍ଧି କରିବା ସହ ନାଗରିକଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦେଇଆସୁଛି।

ସ୍ୱଚ୍ଛତା କେବଳ ରାସ୍ତାଘାଟ କିମ୍ବା ସାର୍ବଜନୀନ ସ୍ଥାନକୁ ପରିଷ୍କାର ରଖିବାରେ ସୀମିତ ନୁହେଁ; ଏହା ପରିବେଶ ସୁରକ୍ଷା, ଜନସ୍ୱାସ୍ଥ୍ୟ, ନାଗରିକ ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧ ସହ ଗଭୀର ଭାବେ ଜଡ଼ିତ। ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ଓଡ଼ିଶା ଗଠନ ପାଇଁ ସରକାରଙ୍କ ପ୍ରୟାସ ସହ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଜରୁରୀ।

‘ସ୍ୱଚ୍ଛତା ଉତ୍ସବ–୨୦୨୬’ ଭଳି ଆୟୋଜନ ସ୍ୱଚ୍ଛତା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବ। ସାମୂହିକ ପ୍ରୟାସ, ଜନସଚେତନତା ଓ ଦୃଢ଼ ସଂକଳ୍ପ ମାଧ୍ୟମରେ ଏକ ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନିଶ୍ଚିତ ଭାବେ ଅଧିକ ସୁଦୃଢ଼ ହୋଇପାରିବ।