ଭକ୍ତଙ୍କ ଉପରକୁ ମାଡ଼ିଗଲା ଟ୍ରକ: ୧୪ ଜଣଙ୍କ ମୃତ୍ୟୁ

କ୍ଷତିପୂରଣ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଗ୍ୱାଲିଅର, ୧୮/୧୦: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମାତା ମନ୍ଦିର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଧାନ ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଯିବା ଫଳରେ ଏହି ଦୁର୍ଘଟଣାରେ ଅତି କମ୍‌ରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଛିନୋର ଦିଗରୁ ଆସୁଥିବା ଧାନ ବୋଝେଇ ଟ୍ରକ୍‌ଟି ମନ୍ଦିର ନିକଟରେ ଥିବା ରାସ୍ତାରେ ନିୟନ୍ତ୍ରଣ ହରାଇଥିଲା। ତେବେ ଏହି ରାସ୍ତାରେ ଭାରୀ ଯାନବାହନ ଚଳାଚଳ ଉପରେ କଟକଣା ରହିଥିଲା। ପୁଲିସର ବ୍ୟାରିକେଡ୍‌ ଭାଙ୍ଗି ଟ୍ରକ୍‌ଟି ଆଗକୁ ମାଡ଼ିଯାଇଥିଲା। ରାସ୍ତାରେ ଥିବା ଶ୍ରଦ୍ଧାଳୁଙ୍କୁ ଧକ୍କା ଦେବା ପରେ ମନ୍ଦିରର ପ୍ରବେଶ ଦ୍ୱାର ଓ ବାହାର ପାଚେରିରେ ପିଟି ହୋଇଥିଲା।

ଦୁର୍ଘଟଣା ପରେ ପୁଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ନେଇଥିଲେ। ଆହତଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରତ୍ୟେକ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।