ଅକ୍ଟୋବର ୨୯ରେ ବାତ୍ୟା !

ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୨୧/୧୦: ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ। ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୩ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଥାଇଲାଣ୍ଡ ଉପସାଗର ଓ ଏହାର ସଂଲଗ୍ନ ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳରେ ରହିଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଏହାର ପ୍ରଭାବରେ ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆକଳନ କରାଯାଇଛି।

ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ଓ ସମୁଦ୍ର ଉପରେ ରହିବାର ସମୟ ଆଧାରରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରିତ ହେବ। କିଛି ଆନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଲେ ଅକ୍ଟୋବର ୨୯ କିମ୍ବା ୩୦ ତାରିଖ ବେଳକୁ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ। ତେବେ ଏହା ଏକ ପ୍ରାରମ୍ଭିକ ମଡେଲ୍‌ ଆକଳନ ମାତ୍ର। ଏ ନେଇ ନିର୍ଦ୍ଦିଷ୍ଟ ପୂର୍ବାନୁମାନ କରାଯାଇନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବାତ୍ୟା ଚେତାବନୀ ଜାରି କରାଯାଇ ନାହିଁ। ଅକ୍ଟୋବର ୨୫ କିମ୍ବା ୨୬ ତାରିଖ ବେଳକୁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।