ସାଉଦି ଆରବରେ ଡ୍ରୋନ୍ ଆକ୍ରମଣ, ୩ ମୃତ ଓ ୮ ଆହତ

କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରିବାକୁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨/୧୦: ସାଉଦି ଆରବରେ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ବିମାନ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ବିମାନବନ୍ଦରକୁ ଆସୁଥିବା କିଛି ଅନ୍ତର୍ଜାତୀୟ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ, ଦେଶର ପୂର୍ବାଞ୍ଚଳରେ ଚାରିଟି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସାଉଦି ଆରବର ପୂର୍ବାଞ୍ଚଳରେ ଚାରିଟି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରାଯାଇଥିବା ସାଉଦି ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ କୁହାଯାଇଛି। ଏହା ସହିତ ଦେଶର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ସାଉଦି ଆରାମକୋ ପରିଚାଳିତ ଶୈବା ତୈଳକ୍ଷେତ୍ରକୁ ଟାର୍ଗେଟ୍ କରି ହୋଇଥିବା ଡ୍ରୋନ୍ ଆକ୍ରମଣରେ ଦୁଇ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ସାଉଦି ଶକ୍ତି ମନ୍ତ୍ରଣାଳୟ ଅନୁସାରେ, ମୃତକଙ୍କ ମଧ୍ୟରେ ଜଣେ ନେପାଳୀ ଓ ଜଣେ ଫିଲିପାଇନ୍ସ ନାଗରିକ ଅଛନ୍ତି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଓ ଜଣେ ଭାରତୀୟ ନାଗରିକ ଥିବା ସୂଚନା ମିଳିଛି। ଡ୍ରୋନ୍‌କୁ ଅଟକାଇବା ପରେ ତାହାର ଭଗ୍ନାବଶେଷ ପଡ଼ିବାରୁ ଏହି ମୃତାହତ ଘଟିଥିବା କୁହାଯାଇଛି।

ୟେମେନ୍‌ରେ ସକ୍ରିୟ ଇରାନ୍‌ ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଆକ୍ରମଣ କରିଥିବାରୁ ସେମାନଙ୍କ ଉପରେ ସନ୍ଦେହ ବଢ଼ିଛି। ସାଉଦି ଆରବର ବିମାନବନ୍ଦର ଓ ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଲଗାତାର ଆକ୍ରମଣ ହେବା ପରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ତେବେ ଦମ୍ମାମ୍‌ର କିଙ୍ଗ୍ ଫହଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ସଦ୍ୟ ଆକ୍ରମଣ ପାଇଁ କୌଣସି ସଂଗଠନ ଆନୁଷ୍ଠାନିକ ଭାବେ ନିଜକୁ ଦାୟୀ କରିନାହିଁ। ତେଣୁ ଆକ୍ରମଣ ପଛରେ କାହାର ହାତ ରହିଛି, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ କିଛି କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି।

ତେବେ ବିମାନବନ୍ଦର, ତୈଳକ୍ଷେତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁଁ ସାଉଦି ଆରବରେ ସାଧାରଣ ଲୋକଙ୍କ ସୁରକ୍ଷା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ ଓ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ିଛି।