ଭୁବନେଶ୍ୱର, ୨୮/୧୦: ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶର ୟାନମ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗଛ ଉପୁଡ଼ିବା, ରାସ୍ତା ଅବରୋଧ ଏବଂ ଯାତାୟାତରେ ବାଧା ସୃଷ୍ଟି ହେବା ଭଳି ଘଟଣା ସାମ୍ନାକୁ ଆସିଛି।
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗଛ ଉପୁଡ଼ିବା ସହ ରାସ୍ତା ଅବରୋଧ ହୋଇଛି। କେତେକ ସ୍ଥାନରେ ଗଛ ପଡ଼ି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ରାଜ୍ୟର ପ୍ରାୟ ୧୮୦ଟି ସ୍ଥାନରେ ଗଛ ଉପୁଡ଼ିଥିବା ଖବର ମିଳିଥିଲା। ଏହା ଫଳରେ ରାସ୍ତାରେ ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଦଳ ଅଧିକାଂଶ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରିଛନ୍ତି। କେତେକ ସ୍ଥାନରେ ବଡ଼ ଗଛ ପଡ଼ିଥିବାରୁ ସେଗୁଡ଼ିକୁ ହଟାଇବା କାର୍ଯ୍ୟ ଜାରି ରହିଛି।
ବାତ୍ୟା ପୂର୍ବରୁ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିଲା। ପୂର୍ବ ୨୪ ଘଣ୍ଟାର ବର୍ଷା ରିପୋର୍ଟ ଅନୁସାରେ, ଗଜପତି ଜିଲ୍ଲାର ମୋହନାରେ ୧୮୨ ମିଲିମିଟର ଏବଂ ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଅଧିକ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ଆଶଙ୍କା ରହିଛି।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଉଦ୍ଧାରକାରୀ ଦଳ ମୁତୟନ କରିଥିଲେ। ୨୮ ଅକ୍ଟୋବର ସକାଳରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାତ୍ୟା ପୂର୍ବରୁ ୮ଟି ଜିଲ୍ଲାରେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ତାଣ୍ଡବ ଦେଖାଇଛି ବାତ୍ୟା ‘ଅର୍ଣ୍ଣବ’। ଡମଣାରେ ଭୁଶୁଡ଼ି ପଡ଼ିଛି ୮୦ ଫୁଟ୍ ବିଶାଳ ଲକ୍ଷ୍ମୀପୂଜା ତୋରଣ ଓ ମଣ୍ଡପ।