ଥମିନି ବାତ୍ୟା ପ୍ରକୋପ, ଆଉ ଗୋଟିଏ ଲଘୁଚାପ ସୃଷ୍ଟି: ମନ୍ତ୍ରୀ ସୁରେଶ ପୂଜାରୀ
ଓଡ଼ିଶାରେ ସନ୍ଧ୍ୟା ବେଳେ ଅଧିକ ରହିବ ଅର୍ଣ୍ଣବ ପ୍ରଭାବ
ଭୁବନେଶ୍ୱର, ୨୮/୧୦: ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟରେ ଲୋକଙ୍କ ସୁରକ୍ଷା ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରେସ ମିଟ୍ ଜରିଆରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସହ ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ ଭୂସ୍ଖଳନ ହୋଇଛି। ଆଜି ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲାରେ ପହଞ୍ଚିବ। ଯାହା ଫଳରେ ସନ୍ଧ୍ୟାରେ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିବ।
ରାସ୍ତା ସଫେଇ, ବିଦ୍ୟୁତ୍ ସେବା ପୁନରୁଦ୍ଧାର, ଗର୍ଭବତୀଙ୍କ ସ୍ଥାନାନ୍ତର ଓ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୁରୁତ୍ୱ ଦିଆଯାଇଛି। ଗଛ ପଡ଼ି ଅବରୋଧ ହୋଇଥିବା ରାସ୍ତା ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ସଫା କରାଯାଇଛି। ସେହିପରି କ୍ଷତିଗ୍ରସ୍ତ ବିଦ୍ୟୁତ୍ ଲାଇନ୍ର ମରାମତି କାମ ମଧ୍ୟ ଜାରି ରହିଛି। ରାଜ୍ୟର କୌଣସି ସ୍ଥାନରେ ମୃତାହତ ହୋଇନଥିବା ସୂଚନା ମିଳିଛି। ପ୍ରାୟ ୬୫ ପ୍ରତିଶତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ସହ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ କରାଯାଇଛି। ଅବଶିଷ୍ଟ ସ୍ଥାନରେ ମଧ୍ୟ ବିଦ୍ୟୁତ୍ ସେବା ପୁନଃସ୍ଥାପନ ପାଇଁ ଉଦ୍ୟମ ଜାରି ରହିଛି।
ବାତ୍ୟା ସମୟରେ ଗଞ୍ଜାମ ଜିଲ୍ଲାରେ ୧୨୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ସମଗ୍ର ରାଜ୍ୟରେ ପ୍ରାୟ ୨ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଅର୍ଣ୍ଣବ ପାଇଁ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅନେକ କ୍ଷତି ହୋଇସାରିଲାଣି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଆଣ୍ଡାମାନ ସାଗରରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରୁ ବାତ୍ୟା ଅର୍ଣ୍ଣବର ଗତି ଓ ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବିଳମ୍ବ ହୋଇଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶା ଆଡ଼କୁ ଗତି କରୁଥିବାରୁ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଉପରେ ପ୍ରଶାସନ ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।