ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ୍ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଭିନ୍ନ ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ
ମହାପ୍ରଭୁଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲରେ ଆମେ ସଫଳ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮/୧୦: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ । ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନୀର ସୂଚନା ନାହିଁ । ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ କଣ୍ଟୋଲ୍ ରୁମ୍ରେ ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାର ସମୀକ୍ଷା କରିବା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ତାଙ୍କ ସହ ଅନେକ ଥର ଫୋନରେ କଥା ହୋଇ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ SRCଙ୍କ କଣ୍ଟ୍ରୋଲ୍ ରୁମ୍ରେ ବାତ୍ୟା ଅର୍ଣ୍ଣବ’ର ସ୍ଥିତି ଓ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । SRC, ଶ୍ରୀ ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ପରିଚାଳନା ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ବିଭିନ୍ନ ଜିଲ୍ଲାରେ ତଦାରଖ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସହିତ ସେଠାକାର ପରିସ୍ଥିତି ଓ ପରିଚାଳନା ବିଷୟରେ ପଚାରି ବୁଝିଥିଲେ ।
କୋରାପୁଟ ତଦାରଖ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଗଜପତିରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମାଲକାନଗିରିରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ବର୍ଷା ସ୍ଥିତି, କ୍ଷୟକ୍ଷତି, ନଦୀ ଜଳସ୍ତର, ଆଶ୍ରୟସ୍ଥଳୀର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ସମୀକ୍ଷା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୧୭ଟି ବ୍ଲକ୍ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଓ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି । ତେବେ ଜିଲ୍ଲା ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଆମର ଯଥେଷ୍ଟ ଦକ୍ଷତା ରହିଛି ଏବଂ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲା । ତେଣୁ ପରିସ୍ଥିତିର ମୁକାବିଲାରେ ଆମେ ସଫଳ ହୋଇଥିଲୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।
ସେ କହିଥିଲେ ଯେ, ବାତ୍ୟାର ମୁକାବିଲା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ୬ ଜଣ ମନ୍ତ୍ରୀ ଏବଂ ୭ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଥିଲା ।
ବାତ୍ୟା ମୁକାବିଲା ପାଇଁ ସମୁଦାୟ ୩୧୩ଟି ରେସ୍ପନ୍ସ ଟିମ୍ ନିୟୋଜିତ ରହିଛି ଏଥିରେ ୬୦ଟି ଓଡ୍ରାଫ୍, ୯ଟି ଏନ୍.ଡି.ଆର୍.ଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ୮ଟି ଜିଲ୍ଲାର ୬୩୪ଟି ଆଶ୍ରୟ ସ୍ଥଳୀରେ ୪୩, ୮୨୭ ଲୋକଙ୍କୁ ସୁରକ୍ଷିତ ରଖାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା- ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡା।
ରିଲିଫ କ୍ୟାମ୍ପ ଗୁଡ଼ିକରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ପାନୀୟ ଜଳ, ଔଷଧ ଓ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି।
ଏହି ସମୟରେ ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ଏବଂ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ତଟରୁ ମତ୍ସ୍ୟଜୀବୀ ମାନେ ୧୯, ୧୪୩ଟି ବୋଟ୍ରେ ସମୁଦ୍ରକୁ ଯାଇଥିଲେ, ସେମାନେ ସମସ୍ତେ କୂଳକୁ ଆସିଛନ୍ତି । ସେମାନଙ୍କୁ ଫେରାଇ ଆଣିବାରେ ଆମେ ଶତ-ପ୍ରତିଶତ ସଫଳ ହୋଇଛୁ ବୋଲି ସେ କହିଥିଲେ ।
ବର୍ତ୍ତମାନ ମଧ୍ୟ ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପାଣିଘେର ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି । ସେଥିପାଇଁ ବ୍ୟାପକ ପମ୍ପ୍ ବନ୍ଦୋବସ୍ତ କରି ଜଳ ନିଷ୍କାସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଏହି ସମୀକ୍ଷାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ SRCଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।