ଭୁବନେଶ୍ୱର, ୦୧/୧୧: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଜେଲ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ବଦଳି କରାଯାଇ ଗୃହ ବିଭାଗ ଓଏସଡି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ତାଙ୍କ ସ୍ଥାନରେ ଏସଏଫଏସଏଲ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ମିଳିଛି।
ସେହିପରି ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ବ ମିଳିଛି। ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ହୋଇଛନ୍ତି ଭିଜିଲାନ୍ସ ଡିଆଇଜି। ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ହୋଇଛନ୍ତି ପୋଲିସ ମୁଖ୍ୟାଳୟ ଏଆଇଜି। ନୂଆପଡା ଏସପି ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟ ଏସ୍ପି ଭାବେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତି ମିଳିଥିବା ବେଳେ ତପନ ନାରାୟଣ ରଥ ହେଲେ ନୂଆପଡ଼ା ଏସ୍ପି ଭାବେ ନିଯୁକ୍ତ କରାଯାଇଛି।