ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍‌ ଏବଂ ଆଇସିଏଆର-ସିଆରଆରଆଇ ମଧ୍ୟରେ ଏମଓୟୁ

ବିକଶିତ ହେବ ‘ଇକୋଲାଇମ⁺’

ନୂଆଦିଲ୍ଲୀ/କଟକ, ୦୨/୧୧: ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାରଯୋଗ୍ୟ କରିବା ଏବଂ ସ୍ଥାୟୀ କୃଷି ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ଧାନ ଗବେଷଣା ସଂସ୍ଥାନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ଚୁକ୍ତିନାମା ଅନୁଯାୟୀ, ଇସ୍ପାତ କାରଖାନାରୁ ନିର୍ଗତ ବର୍ଜ୍ୟଗୁଡ଼ିକୁ ପରିବେଶ-ଅନୁକୂଳ ପଦ୍ଧତିରେ ‘ଇକୋଲାଇମ⁺’ ନାମକ ଏକ ସ୍ୱତନ୍ତ୍ର ମୃତ୍ତିକା ପୋଷକ/ସଂଶୋଧକରେ ରୂପାନ୍ତରିତ କରାଯିବ।

ଏହି ଏମଓୟୁ ସ୍ୱାକ୍ଷର ସମାରୋହରେ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍‌ର ହୋଲ୍-ଟାଇମ୍ ଡାଇରେକ୍ଟର୍ ଏବଂ ସିଇଓ ଶ୍ରୀ ଉମେଶ ରାୟ ଏବଂ ଆଇସିଏଆର-ସିଆରଆରଆଇର ନିର୍ଦ୍ଦେଶକ ଡ. ଜି. ଏ. କେ. କୁମାର ପ୍ରମୁଖ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ପ୍ରକାଶ ସାପା, ଆଇସିଏଆର-ସିଆରଆରଆଇର ଶସ୍ୟ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ପ୍ରତାପ ଭଟ୍ଟାଚାର୍ଯ୍ୟ, ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍‌ର ଭାଇସ୍ ପ୍ରେସିଡେଣ୍ଟ୍ ଓ ଜୋନାଲ୍ ହେଡ୍ ଶ୍ରୀ ମନୋଜ ପଟୱାରୀଙ୍କ ସମେତ ଅନ୍ୟାନ୍ୟ ଜୋନାଲ୍ ହେଡ୍ ଏବଂ ପରିବେଶ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ୍ତିକାର ସ୍ୱାସ୍ଥ୍ୟ ସୁଧାର। ଏହି ‘ଇକୋଲାଇମ⁺’ ବ୍ୟବହାର ଦ୍ୱାରା ପ୍ରଧାନତଃ ଅମ୍ଳୀୟ ମାଟିର ସୁଧାର କରାଯାଇପାରିବ, ଯାହା ମାଟିର ଉର୍ବରତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଇସ୍ପାତ ଶିଳ୍ପରୁ ବାହାରୁଥିବା ବର୍ଜ୍ୟକୁ ସିଧାସଳଖ ଫିଙ୍ଗି ନଦେଇ ତାହାକୁ କୃଷି କ୍ଷେତ୍ରରେ ପୁନଃବ୍ୟବହାରଯୋଗ୍ୟ କରାଯିବ। ୩ଆର ନୀତିର ପ୍ରୟୋଗ ଯେପରିକି କମାଅ, ପୁନଃବ୍ୟବହାର କର ଏବଂ ପୁନଃଚକ୍ରଣ କର ନୀତିକୁ ଆଧାର କରି କାର୍ଯ୍ୟ କରିବ। ଶିଳ୍ପ ବର୍ଜ୍ୟର ସଠିକ୍ ବିନିଯୋଗ ଦ୍ୱାରା ପ୍ରାକୃତିକ ସମ୍ପଦ ଉପରେ ଚାପ ହ୍ରାସ ପାଇବ।