ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଶୋକ ବ୍ୟକ୍ତ କଲେ ବିରୋଧୀ ଦଳ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

ଭୁବନେଶ୍ୱର, ୦୨/୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ‘ପଦ୍ମଶ୍ରୀ’ ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୫ ମିନିଟ୍‌ରେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡା. ଅଶୋକ କୁମାର ମହାପାତ୍ର।

ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ” ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦେଶର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଚିକିତ୍ସା ବିଜ୍ଞାନ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ।ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି।”

ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି କହିଛନ୍ତି, ଖ୍ୟାତନାମା ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବହୁ ବିରଳ ସଫଳ ଅସ୍ତ୍ରୋପଚାର ସହ ଚିକିତ୍ସା ବିଜ୍ଞାନରେ ସେ ନିଜର ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ଓଡ଼ିଶାରେ ଏମ୍ସ ପ୍ରତିଷ୍ଠା ହେଉ କି ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା, ସେ ସବୁବେଳେ ସ୍ମରଣୀୟ ରହିବେ। ଏହା ସମଗ୍ର ଓଡ଼ିଶା ତଥା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରୁଛି।”

ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।