ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଜଳବାୟୁ ପରିବର୍ତ୍ତନଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ

ପୁନରୁଦ୍ଧାର କାର୍ଯ୍ୟର ଭିଡିଓ ଡକୁମେଣ୍ଟେସନ ସହ ପ୍ରସ୍ତୁତ ହେବ ପୁସ୍ତିକା

ଭୁବନେଶ୍ୱର, ୦୨/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସଡ଼କ ଭିତ୍ତିଭୂମିର କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ଆକସ୍ମିକ ବନ୍ୟା (Flash Flood) ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅଧିକ ସୁଦୃଢ଼, ସ୍ଥାୟୀ ଓ ବିପର୍ଯ୍ୟୟ-ପ୍ରତିରୋଧୀ ସଡ଼କ ଭିତ୍ତିଭୂମି ନିର୍ମାଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ସୁରକ୍ଷା ପ୍ରାଚୀର (Protection Wall) ନିର୍ମାଣ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ରାସ୍ତାର ସ୍ଥାୟୀ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା।

ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତିର ଦ୍ରୁତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ଭବ ହୋଇଥିବାରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଇଞ୍ଜିନିୟରମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟରତ ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ। ଅତି ସ୍ୱଳ୍ପ ସମୟ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଦିଗରେ ବିଭାଗୀୟ ଟିମ୍‌ର ନିଷ୍ଠା ଓ ତତ୍ପରତାକୁ ସେ ପ୍ରଶଂସା କରିଥିଲେ।

ସମୀକ୍ଷା ବୈଠକରେ ଏନ୍‌ଏଚ୍‌ ଡିଭିଜନ, କନ୍ଧମାଳ, ପାରଳାଖେମୁଣ୍ଡି, ଗଞ୍ଜାମ, ଗଜପତି, ଫୁଲବାଣୀ, ଭଞ୍ଜନଗର, କୋରାପୁଟ, ମାଲକାନଗିରି ଓ ଜୟପୁର ଡିଭିଜନ ଅଧୀନରେ ବାତ୍ୟା ଓ ବ୍ୟାପକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ମରାମତି କାର୍ଯ୍ୟର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷକରି NH-59, NH-157 ଓ NH-326ରେ କ୍ଷତିଗ୍ରସ୍ତ ହୋଇଥିବା ମୋଟ ୧୨ଟି ରାସ୍ତା ମଧ୍ୟରୁ ୧୦ଟିର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୨ଟି ରାସ୍ତାର ମରାମତି କାର୍ଯ୍ୟ ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପୂରଣ କରିବା ଦିଗରେ ନିର୍ମାଣ ବିଭାଗର ପୁନଃରୁଦ୍ଧାର କାର୍ଯ୍ୟ ବେଶ ଉଲ୍ଲେଖନୀୟ I ତେଣୁ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ ଏବଂ ଆବଶ୍ୟକ ଯୋଜନା ପ୍ରସ୍ତୁତିରେ ସହାୟତା ପାଇଁ ବାତ୍ୟା ପରବର୍ତ୍ତୀ ସମସ୍ତ ପୁନରୁଦ୍ଧାର କାର୍ଯ୍ୟର ଭିଡିଓ ଡକ୍ୟୁମେଣ୍ଟେସନ୍ ଓ ପୁସ୍ତିକା ପ୍ରକାଶନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା I

ବୈଠକରେ ନିର୍ମାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ଇଂ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ) ଇଂ ସତ୍ୟବ୍ରତ ବେହେରା, ଓଏସଡି ଇଂ ଏଲ. କେ ପାଢ଼ୀ, ମୁଖ୍ୟଯନ୍ତ୍ରୀ ଜାତୀୟ ରାଜପଥ -୧ ଇଂ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ ସେତୁ-୧ ଇଂ ପ୍ରଭାସ କୁମାର ମାଝୀ, ମୁଖ୍ୟଯନ୍ତ୍ରୀ ସେତୁ -୨ ଇଂ ତପନ କୁମାର ବେହେରା, ମୁଖ୍ୟଯନ୍ତ୍ରୀ ବିଲଡିଂ – ୨ ଇଂ ତ୍ରିନାଥ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟଯନ୍ତ୍ରୀ ରୋଡ୍ସ – ୨ ଇଂ ଶିବବ୍ରତ ତରିଆଙ୍କ ସମେତ ବିଭିନ୍ନ ଜୋନର ଅଧିକ୍ଷଣ ଯନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ I