ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ‘ପଦ୍ମଶ୍ରୀ’ ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ

୭୪ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ପରଲୋକ

ଓଡ଼ିଶା ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ‘ପଦ୍ମଶ୍ରୀ’ ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଆଜି ରାତି ୯ଟା ୧୫ ମିନିଟ୍‌ରେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡା. ଅଶୋକ କୁମାର।

ସୂଚନାଯୋଗ୍ୟ, ଦେଶର ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ଭାବେ ପ୍ରସିଦ୍ଧ ଡା. ଅଶୋକ ମହାପାତ୍ର ୨୦୨୪ରେ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏମ୍ସ, ନୂଆଦିଲ୍ଲୀର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘଦିନ ଦିଲ୍ଲୀ ଏମ୍ସରେ ଚିକିତ୍ସକ ଜୀବନ ଅତିବାହିତ କରିଥିଲେ। ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଥିଲେ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ଅନେକ ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ। ୨୦୧୭ରେ ଯୋଡ଼ା ମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଡା. ମହାପାତ୍ରଙ୍କ ବିୟୋଗ ଓଡ଼ିଶା ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।