ଚଳନ୍ତା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଜଳିଗଲା ୪ଟି ବଗି

ପଞ୍ଜାବ, ୦୬/୧୧: ଚଳନ୍ତା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ। ପଞ୍ଜାବର ପଟିଆଲା ଜିଲ୍ଲାରେ ଅମୃତସରରୁ ନ୍ୟୁ ଜଳପାଇଗୁଡ଼ି ଯାଉଥିବା କର୍ମଭୂମି ଏକ୍ସପ୍ରେସ୍‌ର ୪ଟି ବଗିରେ ନିଆଁ ଲାଗିଯାଇଛି। ଚଳନ୍ତା ଟ୍ରେନର ହଠାତ୍‌ ଗୋଟିଏ ବଗିରୁ ଧୂଆଁ ବାହାରିବା ପରେ ଏହା ଅନ୍ୟ ବଗିକୁ ବ୍ୟାପିଯାଇଥିଲା।

ସୂଚନା ଅନୁଯାୟୀ, ୧୨୫୦୮ ନମ୍ବରର କର୍ମଭୂମି ଏକ୍ସପ୍ରେସ୍‌ ଅମୃତସରରୁ ନ୍ୟୁ ଜଳପାଇଗୁଡ଼ି ଅଭିମୁଖେ ଯାଉଥିଲା। ଏହି ସମୟରେ ପଟିଆଲା ଜିଲ୍ଲାର ରାଜପୁରା ନିକଟ ସରାଇ ବଞ୍ଜାରା ଅଞ୍ଚଳରେ ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ଅନ୍ୟ ତିନୋଟି ବଗିକୁ ବ୍ୟାପିଯାଇଥିଲା। ଚାରିଆଡ଼େ ଘନ କଳା ଧୂଆଁ ଛାଇଯିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଅନେକ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ତେବେ ଏହି ଅଘଟଣରେ କୌଣସି ମୃତାହତ ହୋଇନାହାନ୍ତି।

ଖବର ପାଇ ରେଳବାଇ ଅଧିକାରୀ, ରେଳ ସୁରକ୍ଷା ବଳ (RPF) ଏବଂ ଅଗ୍ନିଶମ ବାହିନୀର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।