ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ ମୃତ

ମୃତକଙ୍କ ପୁଅ ଗୁରୁତର

ଦଶପଲ୍ଲା, ୦୮/୧୧: ଶବ ନେଇ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଶାଳଭଙ୍ଗା ଜଙ୍ଗଲ ନିକଟରେ ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଈଶ୍ୱର ସାହୁଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ନିଜ ଗାଁକୁ ନିଆଯାଉଥିଲା। ଆମ୍ବୁଲାନ୍ସରେ ମୃତକଙ୍କ କିଛି ସମ୍ପର୍କୀୟ ମଧ୍ୟ ଥିଲେ। ତେବେ ଦଶପଲ୍ଲା ଅଞ୍ଚଳର ଶାଳଭଙ୍ଗା ଜଙ୍ଗଲ ନିକଟରେ ପହଞ୍ଚିବା ପରେ ଆମ୍ବୁଲାନ୍ସଟି ହଠାତ୍ ଭାରସାମ୍ୟ ହରାଇ ଏକ କଲଭର୍ଟର କାନ୍ଥରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଣିଗୋଛା ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ ଓ ଶିର୍ଷା ବାଗଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ମୃତ ଈଶ୍ୱର ସାହୁଙ୍କ ପୁଅ ରାଜୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।