କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ତତ୍ପରତା
ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିଦର୍ଶନ କଲେ ଜିଲ୍ଲା ଦୌରାଜଜ
କଲ୍ୟାଣସିଂହପୁର, ୦୮/୧୧(ନିପ୍ର): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ନ୍ୟାୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ କରିବା ନିମନ୍ତେ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସରର ଭିତ୍ତିଭୂମି ଯାଞ୍ଚ କରିଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ଦାମୋଦର ରଥ। ଏଥିସହ ସ୍ଥାୟୀ ନ୍ୟାୟାଳୟ ନିର୍ମାଣ ପାଇଁ ଚିହ୍ନଟ ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି।ଦୀର୍ଘ ବର୍ଷର ଦାବି ପରେ କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଆଶା ଉଜ୍ଜ୍ୱଳ ହୋଇଛି।ବ୍ଲକର ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ପ୍ରାୟ ୫୦ କିଲୋମିଟର ଦୂର ଯାତ୍ରା କରିବାକୁ ପଡୁଥିବା ବେଳେ ଏଠାରେ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।
ନୂତନ ନ୍ୟାୟାଳୟ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅସ୍ଥାୟୀ ଭାବେ ନ୍ୟାୟାଳୟ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଜିଲ୍ଲା ଦୌରାଜଜ୍ ଦାମୋଦର ରଥ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଥିଲେ। ସ୍ଥାୟୀ ଅଦାଲତ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ମଧ୍ୟ ଅନୁଧ୍ୟାନ କରିଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲା ରେଜିଷ୍ଟର ରାଣା ଘୋଷ, ଅତିରିକ୍ତ ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ ସଞ୍ଜିତ କୁମାର ବେହେରା, ଅତିରିକ୍ତ ତହସିଲଦାର ଅନାଦି ଶବର, ଆର.ଡି. ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୃଷ୍ଣପ୍ରିୟା ଗମାଙ୍ଗ, କନିଷ୍ଠ ଯନ୍ତ୍ରୀ ରାକେଶ ମହାପାତ୍ର, ସହକାରୀ ଯନ୍ତ୍ରୀ କ୍ଷୀରଦ କାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରିଣୀ ଡାକ୍ତର ଗଣିସେଟ୍ଟୀ ଶୈଳଜା ଏବଂ ଥାନାଅଧିକାରୀ ଅଜିତ କୁମାର ପରିଡ଼ା, ଆଇନଜୀବୀ, ଅନ୍ୟ ଅଧିକାରୀ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ନ୍ୟାୟ ପାଇବା ପ୍ରକ୍ରିୟାଅଧିକ ସହଜ ହୋଇପାରିବ ବୋଲି ଆଶା ରହିଛି।