ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର ଓ କଟକ

ମୁତୟନ ହେବେ ୪୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୧୫/୧୧: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ତାଙ୍କର ଭୁବନେଶ୍ୱର ଓ କଟକ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇ ସହରରେ ମୋଟ ୪୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ସୁରକ୍ଷା ଦାୟିତ୍ୱରେ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟୋଜିତ ରହିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ପ୍ରକାରର ବିଶୃଙ୍ଖଳା ନ ହୁଏ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସୁରକ୍ଷା ବ୍ୟବସ୍ଥାକୁ ନେଇ ରବିବାର ଆର୍‌ଓ ଗ୍ରାଉଣ୍ଡରେ ପୁଲିସ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କୁ ନେଇ ବ୍ରିଫିଂ ଏବଂ ରିହର୍ସାଲ୍ କରାଯାଇଛି। ଉପରାଷ୍ଟ୍ରପତିଙ୍କ ଯାତାୟାତ ମାର୍ଗ, କାରକେଡ୍‌ର ଗତିବିଧି, ସୁରକ୍ଷା ଦାୟିତ୍ୱ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଉଭୟ ସହରରେ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି।

ସୂଚନା ଅନୁସାରେ, ସୋମବାର ସକାଳ ୯ଟା ୧୫ ମିନିଟ୍‌ରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବେ। ଭୁବନେଶ୍ୱରର ମେଫେୟାର ସାଙ୍କଚୁଆରୀ କନଭେନସନ୍ ହଲ୍‌ରେ ୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ତାଲିମ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ଧରି ଚାଲିବ। ବିଧାନସଭାର ବିଭିନ୍ନ କମିଟିର ଭୂମିକା ଓ ଦାୟିତ୍ୱ, ବଜେଟ୍ ପ୍ରସ୍ତୁତି, ସରକାରୀ ଖର୍ଚ୍ଚ ଉପରେ ନଜର ରଖିବା ଏବଂ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ଭଳି ବିଷୟରେ ବିଧାୟକମାନଙ୍କୁ ତାଲିମ ଦିଆଯିବ।

ଏହାପରେ ଉପରାଷ୍ଟ୍ରପତି କଟକ ଗସ୍ତ କରିବେ। ସେଠାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନବନିର୍ମିତ ଆଇକନିକ୍ ଟାୱାର ବା ଶିକ୍ଷାନୁଷ୍ଠାନ ଭବନର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସାରି ସେହିଦିନ ଅପରାହ୍ନରେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି।

ଅନ୍ୟପକ୍ଷରେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ୱିନ୍ ସିଟିରେ ଟ୍ରାଫିକ୍ କଟକଣା ମଧ୍ୟ ଜାରି କରାଯାଇଛି। କାରକେଡ୍ ଯାତାୟାତ ସମୟରେ ନିର୍ଦ୍ଧାରିତ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯିବ।