ପଞ୍ଜାବ, ୧୫/୧୧: ପାକିସ୍ତାନୀ ଆତଙ୍କବାଦୀ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ସନ୍ଦେହରେ ପଞ୍ଜାବରୁ ଦୁଇ ଜଣଙ୍କୁ ଗିରଫ କରିଛି ରାଜସ୍ଥାନ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS)। ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରେ ରେଳ ଟ୍ରାକ୍ରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏହି ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ଦୁଇ ଜଣ ହେଲେ ୨୧ ବର୍ଷୀୟା ମହକଦୀପ କୌର ଏବଂ ୨୨ ବର୍ଷୀୟ ଦବିନ୍ଦର ସିଂ।
ସୂଚନା ଅନୁସାରେ, ଗତ ନଭେମ୍ବର ୩ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ରାମସିଂହପୁର ନିକଟସ୍ଥ ୫୦ ଜିବି ଗାଁ ପାଖରେ ରେଳ ଟ୍ରାକ୍ରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ରେଳ ଧାରଣା କ୍ଷତିଗ୍ରସ୍ତ ହେବା ସହ ଦୁଇଟି ରେଳ ସ୍ଲିପର ଭାଙ୍ଗିଯାଇଥିଲା। ଘଟଣାସ୍ଥଳରେ ପ୍ରାୟ ଅଢ଼େଇ ଫୁଟ୍ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା।
ତେବେ ବିସ୍ଫୋରଣ ହେବାର ପ୍ରାୟ ୭୫ ମିନିଟ୍ ପୂର୍ବରୁ ସେହି ରେଳ ଧାରଣା ଦେଇ ଅନୁପଗଡ଼-ସୁରତଗଡ଼ ଯାତ୍ରୀବାହୀ ଟ୍ରେନ୍ ଅତିକ୍ରମ କରିଥିଲା। ଏହାକୁ ନେଇ ରେଳଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଗିରଫ ମହକଦୀପ କୌର ପାକିସ୍ତାନରେ ଥିବା ଦୁଇ ଜଣ ହ୍ୟାଣ୍ଡଲରଙ୍କ ସମ୍ପର୍କରେ ଥିଲେ। ସେମାନେ ‘ଚାଚା’ ଏବଂ ‘ଶାହ’ ବୋଲି ଜଣାପଡ଼ିଛି। ସୋସିଆଲ ମିଡିଆ ଓ ଅନ୍ୟ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ପୋଲିସର ଅଭିଯୋଗ ଅନୁସାରେ, ଉକ୍ତ ହ୍ୟାଣ୍ଡଲରମାନେ ମହିଳାଙ୍କୁ ବ୍ୟକ୍ତିଗତ ସମ୍ପର୍କର ପ୍ରଲୋଭନ ଏବଂ ଆର୍ଥିକ ସହାୟତା ଦେଇ ନିଜ ଜାଲରେ ଫସାଇଥିଲେ। ଏପରିକି ରେଳ ଟ୍ରାକ୍ ବିସ୍ଫୋରଣ ଘଟଣା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିବା ମଧ୍ୟ ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ଏହି ନେଟୱର୍କ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକା ରହିଛି କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି।
ଏହି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତୀତ ଆଉ ତିନି ଜଣଙ୍କୁ ପୋଲିସ ଅଟକ ରଖିଛି। ବିସ୍ଫୋରଣ ଘଟଣା ପୂର୍ବରୁ ଅଭିଯୁକ୍ତଙ୍କୁ ରହିବା ପାଇଁ ସ୍ଥାନ ଯୋଗାଇବା ଏବଂ ଯାତାୟାତରେ ସହଯୋଗ କରିବା ଭଳି ଅଭିଯୋଗରେ ସେମାନଙ୍କୁ ପଚରାଉଚରା କରାଯାଉଛି।
ଅନ୍ୟପଟେ, ଗିରଫ ଦୁଇ ଅଭିଯୁକ୍ତଙ୍କୁ ରାଜସ୍ଥାନ ନିଆଯାଇ ଜେରା କରାଯାଉଛି। ଏହି ଘଟଣା ପଛରେ ଆଉ କେଉଁମାନଙ୍କ ହାତ ରହିଛି, ପାକିସ୍ତାନରୁ କିପରି ଯୋଗାଯୋଗ ହେଉଥିଲା ଏବଂ ଆର୍ଥିକ କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ସୁରକ୍ଷା ଏଜେନ୍ସି ତଦନ୍ତ ଜାରି ରଖିଛି।