ସମ୍ବଲପୁର ମହୋତ୍ସବ-୨୦୨୬ ଉଦଘାଟିତ

ପଦ୍ମଶ୍ରୀ ଡା. ଭାରତୀ ବନ୍ଧୁଙ୍କ ଦ୍ବାରା ଶୁଭାରମ୍ଭ

ସମ୍ବଲପୁର, ୧୫/୧୧: ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ମହାକୁମ୍ଭ ‘ସମ୍ବଲପୁର ମହୋତ୍ସବ-୨୦୨୬’ ଆଜିଠାରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ସମ୍ବଲପୁର ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ଲୋକକଳା, ଜନଜାତୀୟ ଓ ସମସାମୟିକ ସାଂସ୍କୃତିକ ମହୋତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।

ଉଦଘାଟନୀ ଦିବସରେ ପ୍ରଥମେ ଆରାଧ୍ୟା ଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ସର୍ବାଙ୍ଗୀନ ମଙ୍ଗଳ କାମନା କରାଯାଇଥିଲା। ଏହାପରେ ଆଇଁଥାପାଲିସ୍ଥିତ ପିଏଚ୍‌ଡି ପଡ଼ିଆ (ବିର୍ଷା ମୁଣ୍ଡା ପଡ଼ିଆ)ଠାରେ ଏକ ଭବ୍ଯ ଉତ୍ସବରେ ମହୋତ୍ସବର ଉଦଘାଟନ ଅନୁଷ୍ଠିତ ହୋଇଥିଲା।

ଛତିଶଗଡ଼ ରାୟପୁରର ବିଶ୍ବବିଖ୍ୟାତ ସୁଫୀ ଗାୟକ, ପଦ୍ମଶ୍ରୀ ଡା. ଭାରତୀ ବନ୍ଧୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଅଞ୍ଚଳରୁ ଆସିଥିବା କଳାକାରମାନଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଚଳିତ ମହୋତ୍ସବରେ ଗଂଜାମ୍‌ର ‘ମଣିଷ ବାଘ’ ପ୍ରଦର୍ଶନ ଆଜିର ବିଶେଷ ଆକର୍ଷଣ ସାଜିଥିବା ବେଳେ, ଶ୍ବାଶ୍ବତ ତ୍ରିପାଠୀଙ୍କ ଗୀତ ନୃତ୍ୟ ଦଳ ଅତି ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଆଗାମୀ ଦିନଗୁଡ଼ିକରେ ଏହି ମହୋତ୍ସବରେ ଆହୁରି ବିବିଧ କଳାକୃତିର ସମାହାର ଦେଖିବାକୁ ମିଳିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।