ଓଡ଼ିଶାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍
ଭୁବନେଶ୍ୱରରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ, ଆଜି ରହିଛି ଏକାଧିକ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୬/୧୧: ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଭୁବନେଶ୍ୱର ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ।
ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ଉପରାଷ୍ଟ୍ରପତି ମେ’ ଫେୟାର ସାଙ୍କଚୁଆରିରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ସେ ଓଡ଼ିଶା ବିଧାନସଭାରେ ଆୟୋଜିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସାଂସଦୀୟ ପରମ୍ପରା ଏବଂ ଗୃହରେ ନିଜର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭା ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ଭୁବନେଶ୍ୱର ସାଂସଦ ଉପସ୍ଥିତ ରହିବେ।
ଏହାବ୍ୟତୀତ ଉପରାଷ୍ଟ୍ରପତି ନିଜ ଓଡ଼ିଶା ଗସ୍ତ ସମୟରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଙ୍କର ଏହି ଗସ୍ତକୁ ନେଇ ରାଜଧାନୀରେ ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।