ରେଡ୍ ମଡ୍ରୁ ସ୍କାଣ୍ଡିୟମ୍ ପୁନଃରୁଦ୍ଧାର ନିମନ୍ତେ ନାଲକୋ ଏବଂ ରୁସାଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଆନ୍ତର୍ଜାତୀୟ ସମ୍ମିଳନୀ ‘ଇକସୋବା ୨୦୨୬’ ଅନୁଷ୍ଠିତ
ବେଙ୍ଗାଲୁରୁ/ଭୁବନେଶ୍ୱର, ୧୮/୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ‘ନବରତ୍ନ’ ଲୋକ ଉଦ୍ୟୋଗ ‘ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍’ (ନାଲକୋ), ‘ରେଡ୍ ମଡ୍’ ରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ‘ସ୍କାଣ୍ଡିୟମ୍’ ପୁନଃରୁଦ୍ଧାର କରିବା ନିମନ୍ତେ ‘ରୁସାଲ୍’ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ବେଙ୍ଗାଲୁରୁରେ ଆୟୋଜିତ ୪୪ତମ ଆନ୍ତର୍ଜାତୀୟ ସମ୍ମିଳନୀ ତଥା ପ୍ରଦର୍ଶନୀ ‘ଇକସୋବା ୨୦୨୬’ ଅବସରରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଶ୍ରୀ ଜଗଦୀଶ ଅରୋରା, ରୁସାଲର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଭିକ୍ଟର ମାନ୍ ଏବଂ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଦେଶରେ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଚ୍ଛ ଶକ୍ତି ବ୍ୟବହାର ପାଇଁ ରଣନୈତିକ ଖଣିଜ ସମ୍ପଦ ସୁରକ୍ଷିତ କରିବା ଦିଗରେ ଅଧିକରୁ ଅଧିକ ପ୍ରୟାସ ଜାରି ରହିଛି । ଏହି ସହଭାଗୀତା ରେଡ୍ ମଡ୍ ରୁ ସ୍କାନଡିୟମ୍ ପୁନରୁଦ୍ଧାର ପାଇଁ ସମ୍ଭାବ୍ୟ ପଥଗୁଡ଼ିକର ଜ୍ଞାନ ଆଦାନପ୍ରଦାନ ଏବଂ ବ୍ୟବସାୟିକ ମୂଲ୍ୟାଙ୍କନକୁ ସହଜ କରିବା ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଉଲ୍ଲେଖଯୋଗ୍ୟ ଯେ, ରୁସାଲ ବିଶ୍ୱ ଆଲୁମିନିୟମ୍ ଶିଳ୍ପର ଏକ ଅଗ୍ରଣୀ କମ୍ପାନୀ ଏବଂ ସ୍ୱଳ୍ପ କାର୍ବନ ନିର୍ଗମନ କରୁଥିବା ବିଶ୍ୱର ଅନ୍ୟତମ ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ । ଏହି କମ୍ପାନୀ ଆଲୁମିନା ଉତ୍ପାଦନ ସମୟରେ ବାହାରୁଥିବା ରେଡ଼ ମଡ୍ ରୁ ସ୍କାନଡିୟମ୍ ପୁନରୁଦ୍ଧାର ପାଇଁ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ସହଯୋଗ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି ହୋଇପାରିଛି ।