ପୁରୀରେ ହବିଷ୍ୟାଳୀଙ୍କ ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ଆଖି ବୁଜିଲେ ୬୬ ବର୍ଷୀୟା ବୃଦ୍ଧା

ପୁରୀ, ୨୨/୧୧: ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପୁରୀରେ ହବିଷ ବ୍ରତ ପାଳନ କରୁଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି। ପୁରୀ ରେଲୱେ ଟୁରିଷ୍ଟ କମ୍ପଲେକ୍ସରେ ରହୁଥିବା ଏହି ବୃଦ୍ଧା ଜଣକ ଅସୁସ୍ଥ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ଆଖି ବୁଜିଛନ୍ତି। ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ୬୬ ବର୍ଷୀୟା ବୃଦ୍ଧା।

ସୂଚନା ଅନୁସାରେ, ବୃଦ୍ଧା ଜଣକ କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କରିବା ପାଇଁ ପୁରୀ ଆସିଥିଲେ। ସେ ରେଲୱେ ଟୁରିଷ୍ଟ କମ୍ପଲେକ୍ସରେ ଅନ୍ୟ ହବିଷ୍ୟାଳିଙ୍କ ସହ ରହୁଥିଲେ। ତେବେ ଗତକାଲି ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୁରୀରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ୱରରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।