ମୃତ୍ୟୁ ପ୍ରମାଣପତ୍ର ପାଇଁ ୭ ହଜାର ଲାଞ୍ଚ, ଧରାପଡ଼ିଲେ ସ୍ବାସ୍ଥ୍ୟକର୍ମୀ

ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

ସମ୍ବଲପୁର, ୨୬/୧୧: ଡେଥ୍‌ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ। ସମ୍ବଲପୁର ଜିଲ୍ଲା ଠେମରା ସିଏଚସିର ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଆବେଦନକାରୀ ଆବଶ୍ୟକ ପ୍ରକ୍ରିୟା ପୂରଣ କରି ଡେଥ୍‌ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। କିନ୍ତୁ ଆବେଦନ କରିବାର ପ୍ରାୟ ୬ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ପ୍ରମାଣପତ୍ର ମିଳିନଥିଲା। ଏହାପରେ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନ ଲାଞ୍ଚ ମାଗିଥିଲେ। ଯାହି ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ପୂର୍ବ ଯୋଜନା ମୁତାବକ ହରିହର ପ୍ରଧାନ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ଲାଞ୍ଚ ବାବଦ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି।

ଅନ୍ୟପଟେ, ଲାଞ୍ଚ ମାମଲାରେ ଧରାପଡ଼ିବା ପରେ ହରିହର ପ୍ରଧାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।