ବିଧାନସଭାରେ ସମ୍ବିଧାନ ଦିବସ ପାଳିତ

ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକମାନଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି

ଭୁବନେଶ୍ୱର, ୨୬/୧୧: ୧୯୪୯ ନଭେମ୍ବର ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ୱାରା ଭାରତର ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ପର ବର୍ଷ ୧୯୫୦ ଜାନୁଆରୀ ୨୬ରେ ଲାଗୁ କରାଯାଇଥିଲା । ଭାରତୀୟ ଗଣତନ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ଦିବସକୁ ୨୦୧୫ ମସିହାରୁ ପାଳନ କରାଯାଉଛି । ୨୦୧୫ ମସିହାରେ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଥିଲା । ତାଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ଘୋଷଣା କରିଥିଲେ । ଆଗାମୀ ପିଢ଼ିଙ୍କୁ ସମ୍ବିଧାନ ବାବଦରେ ସଚେତନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।

ଏହି ଉପଲକ୍ଷେ ଆଜି ବିଧାନସଭାରେ ‘ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି । ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକବୃନ୍ଦଙ୍କୁ ‘ସମ୍ବିଧାନ ଦିବସ’ର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମଙ୍କ ସମେତ ବିଧାୟକମାନେ ‘ସମ୍ବିଧାନ ଦିବସ’ର ଶପଥ ପାଠ କରିଥିଲେ ।