ମୁନିଗୁଡା, ୨୬/୧୧ (ରାଜୀବ ଲୋଚନ ଦାସ): ରାୟଗଡା ଜିଲ୍ଲା ମୁନିଗୁଡାରେ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ତରଫରୁ ୭ ଦଫା ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି। ମୁନିଗୁଡା ବ୍ଲକ ସଭାନେତ୍ରୀ ଜୋସନାରାଣୀ ସାହୁ ଓ ସମ୍ପାଦିକା ସୁନିତାରାଣୀ ମିଶ୍ରଙ୍କ ମିଳିତ ନେତୃତ୍ୱରେ ସଙ୍ଘର ଶତାଧିକ ସଦସ୍ୟା ମାନଙ୍କ ତରଫରୁ ଏହି ଧାରଣା ଦିଆଯାଇଥିବା ବେଳେ ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ମାସିକ ୩୦ ହଜାର ଓ ସହାୟିକାଙ୍କୁ ୧୪ ହଜାର ଦରମା ପ୍ରଦାନ, ଅବସରକାଳୀନ ସହାୟତା ରାଶି ଆକାରରେ ଅଙ୍ଗନୱାଡି କର୍ମଚାରୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ, ଅବସର ପରେ ମାସିକ ପେନସନ ଯୋଗାଇବା, ଗ୍ରାଚ୍ୟୁଟି ପ୍ରଦାନ କରିବା, ୫୫ ବର୍ଷରେ ଫିଟନେସ ଦେବା ବନ୍ଦ କରିବା, ଶତପ୍ରତିଶତ କର୍ମୀଙ୍କୁ ସୁପରଭାଇଜର ଭାବେ ପଦନ୍ୱିତ କରିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଏବଂ କାର୍ଯ୍ୟରତ ସମୟରେ ମୃତ୍ୟବରଣ କଲେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବା ସହ ପରିବାରର ଜଣକୁ ଚାକିରୀ ଯୋଗାଇବା ଆଦି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖାଯାଉଛି।
ଅନ୍ୟପଟେ ଅଙ୍ଗନୱାଡି କର୍ମୀ ମାନେ ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି । ୬ ଗୋଟି କାର୍ଯ୍ୟକୁ ନେଇ ପ୍ରାରମ୍ଭ ହୋଇଥିବା ସ୍ୱମାନିତ ଶିଶୁ ବିକାଶ ଯୋଜନାଟି ବର୍ତମାନ ସମସ୍ତ ପ୍ରକାର ଜନମଙ୍ଗଳ କାର୍ଯ୍ୟକୁ ସଫଳ ରୂପାୟନ କରୁଛି। କର୍ମଚାରୀଙ୍କ ସମସ୍ୟା ବହୁତବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ଯାହାକୁ ନେଇ ଚଳିତ ମାସ ୨୩ ତାରିଖରୁ ଭୁବନେଶ୍ୱରସ୍ଥିତ ଲୋୟେର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଏହି ଧାରଣା ବ୍ଲକ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି। ସରକାର ଯେଉଁ ପର୍ଯ୍ୟନ୍ତ ଆମ ଦାବି ଗୁଡିକୁ ପୁରଣ ନକରନ୍ତି ଆମେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ତାଲା ବନ୍ଦ ରଖିବୁ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଧାରଣାରେ ସଂଘର ଉପ ସଭାପତି ସବିତା ସାହୁ, ସହ ସମ୍ପାଦିକା ପ୍ରଣତି ତୁଙ୍ଗ, କୋଷାଧକ୍ଷ ଖିରବତୀ କୁସୁଲିଆ, ରାଜେଶ୍ୱରୀ ବୋଇନି, କନକମଞ୍ଜରୀ ସିକକା, ଝୁନୁ ସତପଥି, ଶାନ୍ତିଲତା ବେହେରା, ସୁଜାତା ତାରାଲୁ, ମନ୍ଦଦରୀ କୁସୁଲିଆ, ମହାଲକ୍ଷ୍ମୀ ପାଢ଼ୀ, ଦମୟନ୍ତୀ ବାଞ୍ଜେଲିକା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଧାରଣସ୍ଥଳରେ ଉପସ୍ଥିତ ରହିଥିଲେ।