୧୮ ମାସ ବୟସରେ ହନୁମାନ ଚାଳିଶା ମୁଖସ୍ଥ, ବିଶ୍ୱ ରେକର୍ଡରେ ଦେବାଂଶ

ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲେ ରାୟଗଡ଼ାର କୁନି ପ୍ରତିଭା

ରାୟଗଡ଼ା, ୨୬/୧୧(ଦକ୍ଷ ବାଥ୍ରା): ବୟସ ମାତ୍ର ୧୮ ମାସ। ଏହି କଅଁଳ ବୟସରେ ସମ୍ପୂର୍ଣ୍ଣ ହନୁମାନ ଚାଳିଶା ମୁଖସ୍ଥ କରି ଆବୃତ୍ତି କରିବାରେ ସଫଳ ହୋଇଛନ୍ତି ରାୟଗଡ଼ାର କୁନି ପ୍ରତିଭା ଦେବାଂଶ ପାଢ଼ୀ। ତାଙ୍କର ଏହି ଅସାଧାରଣ ସ୍ମରଣଶକ୍ତିକୁ ସ୍ୱୀକୃତି ଦେଇଛି ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ। ସଂସ୍ଥା ପକ୍ଷରୁ ତାଙ୍କୁ ‘ୟଙ୍ଗେଷ୍ଟ ଚାଇଲ୍ଡ ଟୁ ମେମୋରାଇଜ୍ ଆଣ୍ଡ ରିସାଇଟ୍ ଦି କମ୍ପ୍ଲିଟ୍ ହନୁମାନ ଚାଳିଶା’ ଶୀର୍ଷକରେ ସ୍ୱୀକୃତି ପ୍ରଦାନ କରାଯାଇଛି। ୯ ନଭେମ୍ବର ୨୦୨୬ରେ ଏହି ସଫଳତାକୁ ରେକର୍ଡ ନମ୍ବର BWR/IND/2026/001826ରେ ପଞ୍ଜୀକୃତ କରାଯାଇଛି।

ଦେବାଂଶ ହେଉଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରାମର୍ଶଦାତା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ ରଞ୍ଜନ ପାଢ଼ୀ ଏବଂ କୋଲନରା ସିଏଚ୍‌ସିର ମେଡିକାଲ ଅଫିସର ଡାକ୍ତର ଐଶ୍ୱର୍ଯ୍ୟା ପାତ୍ରଙ୍କ ପୁଅ।

ଦେବାଂଶଙ୍କ ଏହି ସଫଳତା ପଛରେ ରହିଛି ମାଆଙ୍କ ଭକ୍ତି ଓ ସ୍ନେହପୂର୍ଣ୍ଣ ପ୍ରୟାସ। ମାଆ ଡାକ୍ତର ଐଶ୍ୱର୍ଯ୍ୟା ଗର୍ଭାବସ୍ଥାରୁ ହିଁ ହନୁମାନ ଚାଳିଶା ଗାନ କରୁଥିଲେ। ଜନ୍ମ ପରେ ମଧ୍ୟ ମାଆଙ୍କ ମୁହଁରୁ ହନୁମାନ ଚାଳିଶା ଶୁଣିବାକୁ ଦେବାଂଶ ଆଗ୍ରହ ଦେଖାଉଥିଲେ। ଧୀରେ ଧୀରେ ସେ ଏହାର ଶବ୍ଦ ଓ ପଦଗୁଡ଼ିକୁ ମନେ ରଖିବା ଆରମ୍ଭ କରିଥିଲେ। ମାତ୍ର ୧୮ ମାସ ବୟସରେ ସମ୍ପୂର୍ଣ୍ଣ ହନୁମାନ ଚାଳିଶା ମୁଖସ୍ଥ କରି ଆବୃତ୍ତି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କେବଳ ହନୁମାନ ଚାଳିଶା ନୁହେଁ, ଦେବାଂଶ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ମନେ ରଖି ଆବୃତ୍ତି କରିପାରୁଛନ୍ତି। ତାଙ୍କର ଏହି ପ୍ରତିଭାକୁ ନେଇ ଡାକ୍ତର ଦମ୍ପତି ବେଶ୍ ଆନନ୍ଦିତ। ପିଲାମାନଙ୍କ ସହ ଅଧିକ ସମୟ ବିତାଇବା, ସେମାନଙ୍କୁ ଭଲ ଶିକ୍ଷା ଓ ପରିବେଶ ଯୋଗାଇଦେବା ସହ ସେମାନଙ୍କ ସ୍ୱାଭାବିକ ଆଗ୍ରହକୁ ପ୍ରୋତ୍ସାହିତ କରିବା ଉପରେ ଦେବାଂଶଙ୍କ ବାପା-ମାଆ ଗୁରୁତ୍ୱ ଦେଇଛନ୍ତି।

କୁନି ବୟସରେ ଏଭଳି ଅସାଧାରଣ ସଫଳତା ହାସଲ କରି ଦେବାଂଶ କେବଳ ନିଜ ପରିବାର ପାଇଁ ନୁହେଁ, ସମଗ୍ର ରାୟଗଡ଼ା ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।