‘ନାରୀଶକ୍ତି ସଶକ୍ତୀକରଣ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ’

ନାରୀ ସଶକ୍ତୀକରଣ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ, ୨୮/୧୧: ମହିଳା ସଂରକ୍ଷଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ମହିଳାଙ୍କ ରାଜନୈତିକ ଭାଗିଦାରୀ ବୃଦ୍ଧି କରିବା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ଅଧିକ ସୁଯୋଗ ଦେବା ସରକାରଙ୍କ ଲକ୍ଷ୍ୟ।

ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କୁ ରାଜନୀତିରେ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ଏହି ପ୍ରସଙ୍ଗରେ ଅନେକ ମହିଳା ତାଙ୍କୁ ଚିଠି ଲେଖିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ନିଜର ମତ ଜଣାଇଛନ୍ତି। ସେମାନଙ୍କ ଆଶା ଓ ଆକାଂକ୍ଷାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ରାଜନୈତିକ ଦଳଗୁଡ଼ିକ ଦେଶର ନାରୀଶକ୍ତିଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ଭାଗିଦାରୀ ହାସଲ କରିବାରୁ ରୋକିପାରିବେ ନାହିଁ। ଏହା କେବଳ ସମୟର ଅପେକ୍ଷା। ଏହି ସଂରକ୍ଷଣ ଲାଗୁ କରିବା ପାଇଁ ସରକାରଙ୍କ ସଂକଳ୍ପ ଦୃଢ଼ ରହିଛି ଏବଂ ଦେଶର ମହିଳାମାନଙ୍କ ସମର୍ଥନ ତାଙ୍କ ସହ ରହିଛି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ସମ୍ବିଧାନ ସଂଶୋଧନ ଓ ସୀମା ନିର୍ଦ୍ଧାରଣ ସମ୍ପର୍କିତ ନୂଆ ବିଲ୍‌କୁ ମଞ୍ଜୁରୀ ମିଳିଛି।ଏଥିରେ ସମ୍ବିଧାନର ୧୩୨ତମ ସଂଶୋଧନ ବିଲ୍‌, ୨୦୨୬ ଏବଂ ଡିଲିମିଟେସନ୍‌ (ଦ୍ୱିତୀୟ) ବିଲ୍‌, ୨୦୨୬ ସାମିଲ ରହିଛି। ଏହି ବିଲ୍‌ଗୁଡ଼ିକ ମାଧ୍ୟମରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ସହ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ହୋଇପାରେ।

ନୂଆ ପ୍ରସ୍ତାବ ଅନୁସାରେ ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରାଯିବ। ଏଥିରେ ରାଜ୍ୟଗୁଡ଼ିକ ପାଇଁ ୮୧୫ଟି ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୩୫ଟି ଆସନ ରହିବ। ବର୍ତ୍ତମାନ ଲୋକସଭାରେ ୫୪୩ଟି ଆସନ ରହିଛି।

ସେହିପରି ରାଜ୍ୟ ବିଧାନସଭାଗୁଡ଼ିକର ସର୍ବାଧିକ ଆସନ ସଂଖ୍ୟା ୬୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନର ଆସନ ସଂଖ୍ୟା ତୁଳନାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକସଭା ଆସନରେ ୫୦ ପ୍ରତିଶତ ବୃଦ୍ଧି କରିବାର ଯୋଜନା ରହିଛି। ଏହାଦ୍ୱାରା ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣ କରିବା ସହଜ ହେବ। ୨୦୫୧ ପର୍ଯ୍ୟନ୍ତ ଲୋକସଭାରେ ବିଭିନ୍ନ ରାଜ୍ୟର ବର୍ତ୍ତମାନର ଆସନ ଅନୁପାତ ବଜାୟ ରଖିବାକୁ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଲୋକସଭାରେ ଆସନ ସଂଖ୍ୟା ବଢ଼ିଲେ ମଧ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ପ୍ରତିନିଧିତ୍ୱର ଅନୁପାତ ବଦଳିବ ନାହିଁ।

ସେହିପରି ୨୦୨୩ ମସିହାରେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲା। ଏହା ସମ୍ବିଧାନର ୧୦୬ତମ ସଂଶୋଧନ ଆଇନ ଭାବେ। ଏହାକୁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମଧ୍ୟ କୁହାଯାଏ।

ଏହି ଆଇନ ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ। ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ମହିଳାମାନେ ମଧ୍ୟ ସାମିଲ ହେବେ।

ତେବେ ଏହି ଆଇନ ଲାଗୁ ହେବା ପାଇଁ ଜନଗଣନା ଓ ନିର୍ବାଚନମଣ୍ଡଳୀର ପୁନଃସୀମା ନିର୍ଦ୍ଧାରଣ ଆବଶ୍ୟକ ହୋଇଥାନ୍ତା। ଏହି କାରଣରୁ ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବାର ଆଶଙ୍କା ରହିଥିଲା। ଏବେ ସେହି ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ଶୀଘ୍ର ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ନୂଆ ପ୍ରସ୍ତାବ ଆଣିଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି।