ବିସଲେରୀ ପାଣିରେ ମିଳିଲା କୋଲିଫର୍ମ ବ୍ୟାକ୍ଟେରିଆ

ଲ୍ୟାବ ଟେଷ୍ଟରେ ନମୁନା ଫେଲ

ନୂଆଦିଲ୍ଲୀ, ୨୮/୧୧: ପ୍ୟାକେଜ୍‌ଡ୍‌ ପାନୀୟ ଜଳର ଗୁଣବତ୍ତାକୁ ନେଇ ପୁଣି ବିବାଦରେ ଦେଶର ଅନ୍ୟତମ ପ୍ରମୁଖ ବ୍ରାଣ୍ଡ ବିସଲେରୀ। କମ୍ପାନୀର ପଶ୍ଚିମବଙ୍ଗସ୍ଥିତ ଉତ୍ପାଦନ କେନ୍ଦ୍ରରୁ ସଂଗ୍ରହ କରାଯାଇଥିବା ଦ୍ୱିତୀୟ ନମୁନାରେ ମଧ୍ୟ କୋଲିଫର୍ମ ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି। ଏହାପରେ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଏଫଏସଏସଆଇ କମ୍ପାନୀ ବିରୋଧରେ ଅଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେଇଛି।

ତେବେ ଏହି ରିପୋର୍ଟକୁ ନେଇ ବିସଲେରୀ ପକ୍ଷରୁ ଆପତ୍ତି ଉଠାଯାଇଛି। କମ୍ପାନୀର ଦାବି ଅନୁସାରେ, ସେହି ବ୍ୟାଚ୍‌ର ନମୁନାକୁ ଦୁଇଟି ସ୍ୱୀକୃତିପ୍ରାପ୍ତ ସ୍ୱାଧୀନ ଲାବୋରେଟୋରିରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷାରେ ପାଣିର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଠିକ୍‌ ଥିବା ଜଣାପଡ଼ିଛି। ତେଣୁ ଏହି ଦୁଇଟି ଭିନ୍ନ ରିପୋର୍ଟର ସମୀକ୍ଷା କରିବାକୁ କମ୍ପାନୀ ଏଫଏସଏସଆଇକୁ ଅନୁରୋଧ କରିଛି।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲା ଅନ୍ତର୍ଗତ ଟେଲିପାରା ଗ୍ରାମରେ ଥିବା ବିସଲେରୀର ଉତ୍ପାଦନ କେନ୍ଦ୍ରରୁ ଏହି ପାଣି ନମୁନା ସଂଗ୍ରହ କରାଯାଇଥିଲା। ଏହାର ବ୍ୟାଚ୍‌ ନମ୍ବର ହେଉଛି PB201।

ଏଫଏସଏସଆଇର ପ୍ରାଥମିକ ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯିବା ପରେ କୋଲିଫର୍ମ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଥିଲା। ପରେ ନିଶ୍ଚିତ କରିବା ପାଇଁ ନମୁନାକୁ ରେଫରାଲ୍‌ ଲାବୋରେଟୋରିକୁ ପଠାଯାଇଥିଲା। ସେଠାରେ ମଧ୍ୟ ଜୀବାଣୁ ଥିବା ନେଇ ରିପୋର୍ଟ ଆସିଥିଲା।

ଏହାପରେ ଅଗଷ୍ଟ ୧୨, ୨୦୨୬ରେ ଏଫଏସଏସଆଇ ଉକ୍ତ ବ୍ୟାଚ୍‌ର ପାଣି ବିକ୍ରି ଉପରେ ରୋକ୍‌ ଲଗାଇଥିଲା। ଏଥିସହ ସମ୍ପୃକ୍ତ ବ୍ୟାଚ୍‌କୁ ବଜାରରୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଫଏସଏସଆଇର ରିପୋର୍ଟ ପରେ ବିସଲେରୀ କହିଛି ଯେ, ନିୟାମକ ସଂସ୍ଥାର ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ମାସରେ ହିଁ ସମ୍ପୃକ୍ତ ବ୍ୟାଚ୍‌କୁ ବଜାରରୁ ଫେରାଇ ନିଆଯାଇଛି।

କିନ୍ତୁ ସେହି ବ୍ୟାଚ୍‌ର ନମୁନାକୁ କମ୍ପାନୀ ଏଫଏସଏସଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଦୁଇଟି ପରୀକ୍ଷାଗାରକୁ ପଠାଇଥିଲା। ସେଠାରେ ହୋଇଥିବା ପରୀକ୍ଷାରେ କୋଲିଫର୍ମ ବ୍ୟାକ୍ଟେରିଆ ସମ୍ପର୍କିତ ନିର୍ଦ୍ଧାରିତ ମାନଦଣ୍ଡ ସହ ଅନ୍ୟାନ୍ୟ ଖାଦ୍ୟ ସୁରକ୍ଷା ମାନଦଣ୍ଡ ମଧ୍ୟ ପୂରଣ ହୋଇଥିବା କମ୍ପାନୀ ଦାବି କରିଛି।

ତେଣୁ ଦୁଇଟି ଲାବୋରେଟୋରିର ରିପୋର୍ଟ ଏବଂ ଏଫଏସଏସଆଇର ରିପୋର୍ଟ ମଧ୍ୟରେ ଥିବା ପାର୍ଥକ୍ୟର ଉପଯୁକ୍ତ ସମୀକ୍ଷା ହେବା ଆବଶ୍ୟକ ବୋଲି ବିସଲେରୀ କହିଛି।

ଏଥିସହ ନମୁନା ସଂଗ୍ରହ ପ୍ରକ୍ରିୟା, ପରୀକ୍ଷା ପଦ୍ଧତି, ଲାବୋରେଟୋରିର ରିପୋର୍ଟ ଏବଂ ଫଳାଫଳରେ ପାର୍ଥକ୍ୟ ଆସିବାର କାରଣ ଯାଞ୍ଚ କରିବାକୁ ଏଫଏସଏସଆଇକୁ ଅନୁରୋଧ କରିଛି କମ୍ପାନୀ। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ମଧ୍ୟ କହିଛି।

କୋଲିଫର୍ମ ହେଉଛି ଏକ ପ୍ରକାର ବ୍ୟାକ୍ଟେରିଆର ଗୋଷ୍ଠୀ। ଏହା ସାଧାରଣତଃ ପରିବେଶ, ମାଟି, ପାଣି ଏବଂ ମଣିଷ ଓ ପଶୁଙ୍କ ଅନ୍ତନଳୀରେ ମିଳିଥାଏ। ପାନୀୟ ଜଳରେ କୋଲିଫର୍ମ ବ୍ୟାକ୍ଟେରିଆ ମିଳିବା ଜଳର ଗୁଣବତ୍ତା ଏବଂ ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ସୃଷ୍ଟି କରେ। ଏହା ଜଳ ଉତ୍ପାଦନ, ବିଶୋଧନ କିମ୍ବା ପ୍ୟାକେଜିଂ ପ୍ରକ୍ରିୟାରେ ସମସ୍ୟା ଥିବାର ସଙ୍କେତ ହୋଇପାରେ।

ତେବେ କୋଲିଫର୍ମ ମିଳିବା ଅର୍ଥ ସବୁ କ୍ଷେତ୍ରରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିଛନ୍ତି ବୋଲି ନୁହେଁ। କିନ୍ତୁ ପାନୀୟ ଜଳରେ ଏହାର ଉପସ୍ଥିତିକୁ ଅଣଦେଖା କରାଯାଇପାରିବ ନାହିଁ।