ଭୁବନେଶ୍ବର: ତିନିଦିନ ପରେ ସ୍ୱାଭାବିକ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ। ଭୁବନେଶ୍ୱର ସର୍କିଟ ହାଉସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ନୀତି ବିଭ୍ରାଟକୁ ନେଇ ହୋଇଥିବା କଳହର ସମାଧାନ କରାଯାଇଛି।ବୈଠକରେ ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ କଥା ମାନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କରିବାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ଥରେ ମିଟିଂ କରି ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି।