ଯୁବ କ୍ରିକେଟର୍ କମଳ ବାହାଦୂରଙ୍କ ମୃତ୍ୟୁ: ଅଘଟଣ ନା’ ହତ୍ୟା?

ସମ୍ବଲପୁରର ଜଣାଶୁଣା କ୍ରିକେଟର୍ ତଥା ବୁର୍ଲାନିବାସୀ କମଳ ବାହାଦୂର (୩୦)ଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ପାଲୁର୍‌ହିଲ୍ ପଥର ଖାଦାନ ଭିତରେ ସୃଷ୍ଟ କୃତ୍ରିମ ପୋଖରୀରେ ବୁଡ଼ି ଗତକାଲି ମଧ୍ୟାହ୍ନରେ ସେ ପ୍ରାଣ ହରାଇଥିଲେ। ହେଲେ ତାଙ୍କ ମୃତ୍ୟୁ ଓ ପାରିପାର୍ଶ୍ବିକ ପରିସ୍ଥିତି ସନ୍ଦେହ ସୃଷ୍ଟି କରୁଥିବାରୁ ପରିବାର ଲୋକେ ହତ୍ୟା ଆଶଙ୍କା କରୁଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କମଳଙ୍କ ଏଭଳି ଅକାଳ ମୃତ୍ୟୁକୁ ତାଙ୍କ ପରିବାରବର୍ଗ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାପଛରେ ନିଶ୍ଚିତ କିଛି ଷଡ଼୍‌ଯନ୍ତ୍ର ରହିଛି ଓ ତ‌ାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।