ଆଠଗଡ଼ ବନ ବିଭାଗକୁ ଶନିଦଶା

କଟକ ଜିଲ୍ଲା ଆଠଗଡ଼ ବନ ବିଭାଗରେ ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଆଠଗଡ଼ ଫରେଷ୍ଟ ରେଂଜର ତିଗିରିଆ ଅନ୍ତର୍ଗତ ଜେନାପଦା ବିଟର ନୂଆବନ୍ଦ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ମୃତ ଦନ୍ତାହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି।

ଡିଏଫ ଓ ଡାକ୍ତର ଯଜ୍ଞଦତ୍ତ ପତି, ଫରେଷ୍ଟ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ପହଞ୍ଚି ଥିଲେ। ଏହି ଅଞ୍ଚଳରେ କିଛି ଦିନ ହେବ ଦନ୍ତାହାତୀ ଚଳପ୍ରଚଳ କରୁଥିବା ତଥା ସ୍ଥାନୀୟ ଲୋକଙ୍କ ଫସଲ ବ୍ୟାପକ ଭାବରେ ନଷ୍ଟ କରୁଥିଲା। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଏପରିକି ବାର୍‌ହା ଶିକାର ପାଇଁ ପ୍ରତିଦିନ ବିଦ୍ୟୁତ ସଂଯୋଗ କରାଯାଇ ଶିକାର କରାଯାଉଥିବା ଅଭିଯୋଗ ହେଉଛି।