ଭତ୍ତା ପାଇଁ ପାଦରେ ଚାଲି ତିନି କିଲୋମିଟର ଯାତ୍ରା କରୁଛନ୍ତି ବୃଦ୍ଧ ଦମ୍ପତି

ବୟସର ସାୟାହ୍ନରେ ଉପନୀତ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷ। ଭତ୍ତା ଖଣ୍ଡିକ ପାଇଁ ଉଭୟଙ୍କୁ ପ୍ରତ୍ୟେକ ମାସରେ ତିନି କିଲୋମିଟର ଯାତ୍ରା କରିବାକୁ ପଡୁଛି। ତାହାବି କୌଣସି ଅଟୋ କିମ୍ବା ବାଇକ ଯୋଗେ ନୁହଁ ବରଂ ଉଭୟଙ୍କୁ ପାଦରେ ଚାଲି ଚାଲି ଆସିବାକୁ ପଡୁଛି କିୟସ୍କ ବ୍ୟାଙ୍କ। ବୃଦ୍ଧ ସ୍ୱାମୀ ଜଣଙ୍କ ଗୋଟିଏ ବାଡ଼ି ଧରି ଆଗରେ ଚାଲୁଥିବା ବେଳେ ଅଂଧୁଣି ବୃଦ୍ଧା ପତ୍ନୀ ଜଣଙ୍କ ଉକ୍ତ ବାଡ଼ିକୁ ସାହାରା କରି ପଛେ ପଛେ ବାଟ ଚାଲୁଛନ୍ତି। ଏଭଳି ଏକ କରୁଣ ଦୃଶ୍ୟ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ମହକୁମାରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମର ଦଶରୁ ଗୌଡ଼ (୮୦) ଏବଂ ପତ୍ନୀ ମୁକ୍ତା ଗୌଡ଼ (୮୫)। ଉଭୟଙ୍କ ଶରୀର ସମ୍ପୂର୍ଣ ଝଡି ଯାଇଛି। ଦେହର ଚର୍ମ ଗୁଡାକ ଓହଳି ଗଲାଣି। ଚାଲିବାକୁ ଦେହରେ ବଳ ନାହିଁ । ପତ୍ନୀ ମୁକ୍ତାଙ୍କୁ ଅତ୍ୟଧିକ ବୟସ କାରଣରୁ ଆଖିକୁ ଜମାରୁ ଦେଖାଯାଉନି। ଏମିତି ସ୍ଥିତିରେ ବୃଦ୍ଧା ସ୍ୱାମୀଙ୍କ ବାଡ଼ିକୁ ସାହାରା କରି ବୃଦ୍ଧା ପତ୍ନୀ ଜଣଙ୍କ ପ୍ରତ୍ୟେକ ମାସରେ ତେନ୍ତୁଳିଖୁଣ୍ଟି ସ୍ଥିତ କିୟସ୍କ ବ୍ୟାଙ୍କକୁ ଆସୁଛନ୍ତି। ସରକାର ଏକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା ପରଠୁ ପ୍ରତ୍ୟେକ ମାସରେ ଏହି ଦମ୍ପତି ଦୀର୍ଘ ତିନି କିଲୋମିଟର ଦୂର ପାଦରେ ଚାଲି ଚାଲି ଆସୁଛନ୍ତି।