ନବ ଦାସ ହତ୍ୟା ଘଟଣା: ଚୌଦ୍ବାର ଜେଲ୍‌ରେ ପହଞ୍ଚିଲା ଗୋପାଳ, ୩ ନମ୍ବର ସେଲ୍‌ ହେବ ଠିକଣା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଆଜି ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍‌ର ୩ନମ୍ବର ସେଲ୍‌ରେ ରଖାଯିବ। ଏଥି ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି।

ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି। ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର ଆସିଛନ୍ତି। ଏଥି ପାଇଁ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ। ପୂର୍ବରୁ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା ।