ରାଜଗୋପାଳଙ୍କୁ ୪୦ତମ ନିୱାନୋ ଶାନ୍ତି ପୁରସ୍କାର

ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ପାଇବେ ଭାରତର ବିଶିଷ୍ଟ ସମାଜସେବୀ ରାଜଗୋପାଳ ପି.ଭି.। ପ୍ରଖ୍ୟାତ ଗାନ୍ଧୀବାଦୀ ଓ ସର୍ବୋଦୟୀ ନେତା ତଥା ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ସଂଗଠନ ‘ଏକତା ପରିଷଦ’ର ପ୍ରତିଷ୍ଠାତା ରାଜଗୋପାଳଙ୍କୁ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ଦୁନିଆର ପ୍ରତିଷ୍ଠିତ ସଂସ୍ଥା ନିୱାନୋ ପିସ୍‌ ଫାଉଣ୍ଡେସନ୍‌, ଜାପାନ ତରଫରୁ ଏହି ପୁରସ୍କାର ମିଳିବ। ସଂପୃକ୍ତ ପ୍ରତିଷ୍ଠାନର ଆନୁଷ୍ଠାନିକ ଘୋଷଣା ଅନୁଯାୟୀ ଶାନ୍ତପୂର୍ଣ୍ଣ ଓ ଅହିଂସକ ଉପାୟରେ ରାଜଗୋପାଳ ଦେଶର ସବୁଠୁ ଗରିବ ଲୋକଙ୍କ ପାଇଁ ଜାତିଭେଦ ଓ ଲିଙ୍ଗଭେଦ ବିନା ସମସ୍ତ ନାଗରିକଙ୍କର ସମାନ ମାନବିକ ମର୍ଯ୍ୟାଦା ତଥା ସମାନ ଅଧିକାର ଦିଗରେ କାର୍ଯ୍ୟ କରିଆସିଛନ୍ତି।