ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ପୁଣି ଥରେ ଆବେଦନ କଲା କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍‌ସ (ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସ) ନେଇ ମାନସିକ ସମସ୍ୟା ସଂପର୍କରେ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଖାରଜ କରି ଦେବା ପରେ ଆଜି ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ।

ଏହାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଗୋଟିଏ ପଟେ ଗୋପାଳକୁ ମାନସିକ ରୋଗୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ତରବର ହେଉଛି କି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଯଦି ଗୋପାଳ ମାନସିକ ରୋଗୀ, ତେବେ ତାର ସମ୍ମତିକୁ ଗ୍ରହଣ କରି ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ କିପରି କରାଗଲା ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟର ବରିଷ୍ଠ ଆଇନଜୀବୀମାନେ ଏଭଳି ପ୍ରଶ୍ନ କରିବା ସହିତ ହତ୍ୟାକାଣ୍ଡର ୨୩ ଦିନ ପରେ ଗୋପାଳର ମାନସିକ ସ୍ଥିତିର ପରୀକ୍ଷା ପାଇଁ ଅନୁମତି ମାଗିବାକୁ କ୍ରାଇମବ୍ରାଞ୍ଚ ଉପର ଅଦାଲତକୁ ଯିବା ଯୋଜନା କରିବା ଘଟଣା ରହସ୍ୟଜନକ ବୋଲି ମତ ଦେଇଛନ୍ତି।