ଆସନ୍ତା ସପ୍ତାହରୁ ଖରା ବଢ଼ିବ

ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ। ମାତ୍ର ପରବର୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ହେବ। ଫେବ୍ରୁଆରି ୨୭ ଓ ୨୮ ତାରିଖ ତଥା ଆସନ୍ତା ସପ୍ତାହଠାରୁ ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ଦିନ ତାପମାତ୍ରା ୩୮ରୁ ୪୦ ଡିଗ୍ରିରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅର୍ଥାତ୍‌ ଫେବ୍ରୁ୍ଆରି ମାସରେ ବର୍ଷା ହେବାର ସମ୍ଭାବନା ନାହିଁ। ମାତ୍ର ଭୋର ସମୟରେ କୁହୁଡ଼ି କଲବଲ କରିବ। ୨୪ ତାରିଖ ସକାଳୁ ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ ପୁରୀ ଜିଲ୍ଲା, ୨୫ ତାରିଖ ସକାଳୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ। ଆଜି ଦିନ ସମୟରେ ତାଳଚେର, ନୟାଗଡ଼ ଓ ବୌଦ୍ଧ ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଛି। ସୋନପୁରରେ ୩୭.୯, ବଲାଙ୍ଗୀରରେ ୩୭.୮, ଭବାନୀପାଟଣାରେ ୩୭.୫, ଭୁବନେଶ୍ବର, ବାରିପଦା, ଝାରସୁଗୁଡ଼ାରେ ୩୭ ଡିଗ୍ରି ରହିଥିଲା।