ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଲେ ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟ

ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘରର ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟ। ପ୍ରଭାସିନୀ ସୂତାର ନାମୀ ଜଣେ ଆକାଉଣ୍ଟଧାରୀଙ୍କଠାରୁ ଏଜେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବାବେଳେ ସହକାରୀ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଓ ଏଜେଣ୍ଟ ବିମଳ କୁମାର ମୁଦୁଲିଙ୍କୁ ଗିରଫ କରିଛନ୍ତି। ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି।

ଏହି ଚଢାଉରେ ସିବିଆଇ ଡିଏସପି ଦିବାକର ନନ୍ଦଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏ.କେ.ନନ୍ଦ ଓ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିଲେ। ସୂଚନା ଅନୁସାରେ ପ୍ରଭାସିନୀଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଡେଥ କ୍ଲେମ୍ ବାବଦକୁ ୮ ଲକ୍ଷ ଟଙ୍କା ପାଇବାକୁ ଥିଲା । ତେବେ ପୋଷ୍ଟମାଷ୍ଟର ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ | ଆଉ ୨ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା | ଏନେଇ ଭୁବନେଶ୍ୱର ସିବିଆଇ ଅଧିକାରୀଙ୍କ ସହ ପ୍ରଭାସିନୀ ସୂତାର ଯୋଗାଯୋଗ କରିଥିଲେ | ତେବେ ଆଜି ପ୍ରଥମ ଦଫାରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବିଶ୍ବରଂଜନଙ୍କ ସହ ଦଲାଲ ବିମଳ ମୁଦୁଲିଙ୍କୁ ଗିରଫ କରାଯାଇଛି ।