ଦିଲ୍ଲୀର ୮୭ ସରକାରୀ ସ୍କୁଲ ଶିକ୍ଷକ ତାଲିମ ପାଇଁ ଫିନଲ୍ୟାଣ୍ଡ୍ ଯିବେ

ଦିଲ୍ଲୀର ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲ୍ୟାଣ୍ଡ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସକ୍ସେନା । ଏଥିସହିତ ତାଲିମ ପାଇଁ ଯାଉଥିବା ପ୍ରଶିକ୍ଷକଙ୍କ ସଂଖ୍ୟା ୫୨ରୁ ବୃଦ୍ଧି କରି ୮୭ କରିଦେଇଛନ୍ତି ଉପରାଜ୍ୟପାଳ । ସୂଚନା ଅନୁସାରେ, ଦିଲ୍ଲୀରେ ସମୁଦାୟ ୨୯ଟି ପ୍ରଶାସନିକ ଜୋନ୍ ଅଛି ଏବଂ ପ୍ରତ୍ୟେକ ଜୋନରୁ ୩ ଜଣ ପ୍ରଶିକ୍ଷକ ଫିନଲ୍ୟାଣ୍ଡ ତାଲିମ ପାଇଁ ଯାଇପାରିବେ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ଓ ବର୍ତ୍ତମାନ ଏହାର ଅନ୍ତଘଟିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେତେବେଳେ ଏହି ପ୍ରସ୍ତାବକୁ ଉପରାଜ୍ୟପାଳଙ୍କୁ ଅନୁମୋଦନ ଲାଗି ପଠାଇଥିଲେ, ସେତେବେଳେ ଉପରାଜ୍ୟପାଳ ନିଜେ ଦେଶରେ ତାଲିମ ପାଇଁ ବିକଳ୍ପ ଖୋଜିବାକୁ କହିଥିଲେ । ତା’ପରେ ପୁଣି ଥରେ କେଜ୍ରିୱାଲ ସେହି ପ୍ରସଙ୍ଗରେ ଉପରେ ମତ ରଖି ଜାନୁୟାରୀ ୨୦ରେ ଉପରାଜ୍ୟପାଳଙ୍କୁ ପଠାଇଥିଲେ ।