ଭିସୁଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ସୋମବାର ଆସିପାରେ ଚିନ୍ମୟୀଙ୍କ ଦୁଇବନ୍ଧୁଙ୍କ ଲାଏଡିଟେକ୍ସନ୍‌ ଟେଷ୍ଟ ରିପୋର୍ଟ

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଶନିବାର ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ’ ଓ ମାନସ ଟୁଡୁଙ୍କ ମିଛ ଧରା ଟେଷ୍ଟ୍‌ ଶେଷ କରିଛି ପୁଲିସ। ଏହି ରିପୋର୍ଟ ସୋମବାର ଆସିବାର ସମ୍ଭାବନ ରହିଛି। ଏହି ରିପୋର୍ଟ ଯଦି ସନ୍ତୋଷଜନକ ନ ହୁଏ ତେବେ ପ୍ରୀତିମାନଙ୍କର ନାର୍କୋ ଟେଷ୍ଟ୍‌ କରାଯିବାକୁ ଚିନ୍ତା କରାଯାଉଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

ଶନିବାର ରାତି ତମାମ୍‌ ପୁଲିସ ବିଭିନ୍ନ ଲୋକଙ୍କୁ ଥାନାରେ ପଚରାଉଚରା କରୁଛି। ଭିସୁଟ୍‌ର କିଛି ଛାତ୍ରଙ୍କୁ ମିଶାଇ ମୋଟ ଉପରେ ୩୧ ଜଣଙ୍କୁ ଶନିବାର ଜେରା କରାଯାଇଛି। ଅନ୍ୟପଟେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଚିନ୍ମୟୀଙ୍କ ମା’, ବାପା, ଭଉଣୀ ଓ କାକାଙ୍କୁ ରବିବାର ପଚରାଉଚରା କରାଯାଇଛି।ଏହି ଅବସରରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର, ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।