ସିବିଆଇ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି: ଆପ୍

ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବା ପରେ ଦି‌ଲ୍ଲୀରେ ରାଜନୀତି ସରଗରମ ହୋଇଛି। ଆପ୍ ନେତାମାନେ ଲଗାତାର କେନ୍ଦ୍ର ସରକାର ଏବଂ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏ ମଧ୍ୟରେ ଆପ୍ ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏହା ସହ ମିଥ୍ୟା ଆରୋପ ସ୍ୱୀକାର କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିବା କଥା ସେ କହିଛନ୍ତି।

ସୌରଭ ଭରଦ୍ୱାଜ କହିଛନ୍ତି ଯେ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଯାହା ଦ୍ବାରା ସେ ମିଥ୍ୟା ଆରୋପ ସ୍ୱୀକାର କରିବେ। ଶନିବାର ମନୀଷ ସିସୋଦିଆ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ଦୁର୍ଭାଗ୍ୟଜନକ ଯେ ଜଣେ ବ୍ୟକ୍ତି ଯିଏ ଗରିବ ପିଲାମାନଙ୍କ ପାଇଁ କାମ କଲା, ତାଙ୍କ ସହ ଏଭଳି ଘଟୁଛି। ସିବିଆଇ, ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ନପାଇବାରୁ ତାଙ୍କ ଉପରେ ଚାପ ପକାଉଛି। ଏଭଳି କଲେ ସିସୋଦିଆ ଚାପଗ୍ରସ୍ତ ହୋଇ ତାଙ୍କ ଉପ‌ରେ ଲାଗିଥିବା ମିଥ୍ୟା ଆରୋପକୁ ଗ୍ରହଣ କରିନେ‌ବେ ବୋଲି ଭାବି ସିବିଆଇ ଏଭଳି କରୁଛି।