ବାଲେଶ୍ବରରେ ଦ୍ବିତୀୟ ସ୍ତ୍ରୀଙ୍କୁ ଏସିଡ୍ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସ୍ବାମୀକୁ କୋଲକାତାରୁ ଗିରଫ

ଏସିଡ୍‌ ମାଡ଼ ଘଟଣାରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ରଣା ଓ ତାର ସହଯୋଗୀ ତଥା ଏସିଡ୍‌ ବିକ୍ରେତାକୁ ଗିରଫ୍‌ କରିଛି। ଏନେଇ ଆଜି ଅପରାହ୍ନରେ ସହଦେବଖୁଣ୍ଟା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦନକୁ ଧରିବା ପାଇଁ ପୁଲିସର ପାଞ୍ଚଟି ଟିମ୍‌ ଗଠନ ହୋଇଥିବା ବେଳେ ତିନୋଟି ଟିମ୍‌ ବିଭିନ୍ନ ରାଜ୍ୟକୁ ଯାଇଥିଲା। କୋଲକାତା, ମହାରାଷ୍ଟ୍ର ଓ ତାମିଲନାଡୁ ପୁଲିସର ସହଯୋଗରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଗିରଫ କରିବାରେ ବାଲେଶ୍ବର ପୁଲିସ ସଫଳ ହୋଇଥିଲା।

ତେବେ ପୁଲିସ ଆଗରେ ଅଭିଯୁକ୍ତ ଚନ୍ଦନ ସେଦିନର ପୂରା ଘଟଣା ସଂପର୍କରେ ସବୁ ସତ କଥା ମାନିଥିଲା। ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ଚନ୍ଦନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଚାହୁଁନଥିଲା। ଦ୍ବିତୀୟ ସ୍ତ୍ରୀ ବନିତାଙ୍କ ସହିତ ରହିବାକୁ ଚାହୁଁଥିଲା। ହେଲେ ବନିତା ଏଥିରେ ରାଜି ନହେବାରୁ ସେ ଏଭଳି ପଦକ୍ଷେପ ଘଟାଇବାକୁ ଯୋଜନା କରିଥିଲା। ସେଦିନ ପୂର୍ବ ଯୋଜନା ମୁତାବକ ଚନ୍ଦନ ଏସିଡ୍‌ ଯାହା ପାଖରୁ କିଣିଥିଲା ତାକୁ ସାଙ୍ଗରେ ଧରି ବନିତାଙ୍କ ଘରକୁ ଯାଇଥିଲା। ଏହା ସହିତ ପେଟ୍ରୋଲ ଓ ମାଚିସ୍‌ କିଣି ସାଙ୍ଗରେ ନେଇଥିଲା। ବନିତା ଏବଂ ତାଙ୍କର ବଡ଼ଭଉଣୀ ବର୍ଷାଙ୍କ ଉପରେ ଏସିଡ୍‌ ମାଡ଼ କରିବା ପରେ ଚନ୍ଦନ ମୋବାଇଲ୍‌ ଫୋନ୍‌କୁ ଭାଙ୍ଗି ନଷ୍ଟ କରିଥିଲା। ଏହ ପରେ ଜଳେଶ୍ବରକୁ ପଳାଇଯାଇଥିଲା।