ସୀମାନ୍ତରେ ଛତିଶଗଡ଼ର ପୁଣି ଦାଦାଗିରି!

ପ୍ରଥମେ ପାଣି ତାପରେ ଜମି ଆଉ ଏଥର ରାସ୍ତାକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉପୁଜିଲାଣି ବିବାଦ। ବର୍ତ୍ତମାନ ରାସ୍ତା ନିର୍ମାଣକୁ ଛତିଶଗଡ଼ ପ୍ରଶାସନ ବିରୋଧ କରିବା ପରେ ସୀମାନ୍ତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରୁ ପ୍ରାୟ ୧୨ କିଲୋମିଟର ଦୂର କୁସୁମଯୋର ପଞ୍ଚାୟତରୁ ମାତ୍ର ଅଧ କିଲୋମିଟର ଦୂରରେ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅବସ୍ଥିତ। କୁସୁମଯୋର ପଞ୍ଚାୟତ ଅଧୀନ ସୀମାନ୍ତ ଜାମପଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ଜାରି ରହିଛି। ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା ଯୋଜନାରେ ରାସ୍ତା କାମ ଚାଲିଛି। ହେଲେ ଏହି ରାସ୍ତାକୁ ଛତିଶଗଡ଼ ପ୍ରଶାସନ ନିଜ ରାସ୍ତା କହି ବିରୋଧ କରିବା ସହ ନିର୍ମାଣ କାମ ବନ୍ଦ କରିଛନ୍ତି। ଏହାକୁ କେନ୍ଦ୍ର କରି ସୀମାନ୍ତ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।