ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ଛାତ୍ରନିବାସରୁ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରନିବାସରେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ ଛାତ୍ରଜଣକ ହେଲେ ଆଇଆର୍‌ ଏଣ୍ଡ ପିଏମ୍‌ ବିଭାଗର ପ୍ରଥମ ବର୍ଷର ତାରିଣୀ ପ୍ରସାଦ ବିଶ୍ୱାଳ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡିଛି। ସେ ରୁମ୍‌ ନମ୍ବର ୧୦୨ରେ ରହୁଥିଲେ।

ଗତକ‌ାଲି ରାତିରେ ତାରିଣୀ ରହୁଥିବା ରୁମ୍‌ କବାଟ ବନ୍ଦ ରହିଥିଲା। କିଛି ଅନ୍ତେବାସୀ କବାଟ ପିଟି ଡାକିଥିବା ବେଳେ କବାଟ ‌ଖୋଲି ନଥିବା ଯୋଗୁଁ ସେ ଶୋଇ ପଡ଼ିଥିବେ ଭାବି ଚାଲି ଯାଇଥିଲେ। ଆଜି ଦିନତମାମ ବି ତାରଣୀଙ୍କୁ ଅନ୍ତେବାସୀମାନେ ଦେଖିନଥିବା କହିଛନ୍ତି। ମଧ୍ୟାହ୍ନରେ କିଛି ଅନ୍ତେବାସୀ ରୁମ୍‌ କବାଟ ପିଟିବା ପରେ ବି ସେ ଖୋଲି ନଥିଲେ।

ରୁମ୍‌ ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ପଛପଟ ଝରକା ପଟୁ ଦେଖିବା ବେଳେ ତାରିଣୀ ଏକ ବେଡ୍‌ସିଟ୍‌କୁ ଫେନ୍‌ ହୁକ୍‌ରେ ବାନ୍ଧି ଝୁଲି ରହିଥିଲେ। ଏଥିନେଇ ଅନ୍ତେବାସୀମାନେ ହଷ୍ଟେଲ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଖବର ଦେଇଥିଲେ। ହଷ୍ଟେଲ୍‌ ୱାର୍ଡେନ୍‌ ପ୍ରଫେସର ସୁଶାନ୍ତ କୁମାର ବରାଳ, ସୁପରିଟେଣ୍ଟେଟ୍‌ ଡ. ପଦ୍ମନାଭ ସାମନ୍ତ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଘଟଣାସ୍ଥଳରେ ବିଭିନ୍ନ ବିଷୟରେ ପଚରାଉଚରା କରିବା ପରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।