ଜିଓର ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ ‘ଜିଓ ପ୍ଲସ୍‌’ର ହେଲା ଶୁଭାରମ୍ଭ; ମିଳିବ ଏକ ମାସର ମାଗଣା ଟ୍ରାଏଲ୍

ଏକ ମାସର ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ ‘ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ । ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ ।

ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇପାରିବେ। ଏହି ପ୍ଲାନ୍‌ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆଯାଇପାରିବ। ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ।