ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ସୋନପୁର ଥାନା ଅନ୍ତର୍ଗତ ଅର୍ଜୁନପୁର ପଟରୁ ବିନିକା ଅଭିମୁଖେ ଏକ କାର (ଓଡି-୩୧-୬୧୯୧) ଦ୍ରୁତଗତିରେ ଯାଉଥିଲା। ଶରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ନିକଟରେ ପିଲାମାନେ ଯେତେବେଳେ ପରୀକ୍ଷା ଦେଇ ଘରକୁ ବାହାରୁଥିଲେ, ଏହି ସମୟରେ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥି‌ଲା।