ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ୍ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ତରଫରୁ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ପାଇବା ପରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ଜଣାଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୩.୭୮ କୋଟି ଟଙ୍କା ଏହି ଅର୍ଥ ପ୍ରଦାନ କରାଯାଇସାରିଛି।
ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଟଙ୍କା ବ୍ୟବସ୍ଥା କରି ସମୁଦାୟ ୯୦୬.୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା।କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ରାଜ୍ୟ ପାଖରେ ଥିବା ୮ କୋଟି ଟଙ୍କା ବଳକା ରହିଥିଲା। ଭାରତ ସରକାର ଅକ୍ଟୋବର ୦୧, ୨୦୨୨ରେ ସାମଗ୍ରିକ ଖର୍ଚ୍ଚକୁ ୯.୬ ପ୍ରତିଶତ ବୃଦ୍ଧି କରିଥିଲେ। ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା। ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।