ଯକ୍ଷ୍ମା ନେଉଛି ବର୍ଷକୁ ୨୫୦ ଜୀବନ, ବଢୁଛି ପଜିଟିଭ୍‌ ସଂଖ୍ୟା

ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ଠାରୁ ଆହୁରି ଭୟଙ୍କର ରୂପ ନେଉଛି ଯକ୍ଷ୍ମା। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢ଼ି ଚାଲିଛି। ଗତ ୩ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୫୦ ଜଣ ଯକ୍ଷ୍ମା ରୋଗୀ ଜୀବନ ହରାଇଥିବା ରେକର୍ଡ଼ କହୁଛି। ଯାହାକି ଏଡ୍‌ସ ମୃତ୍ୟୁହାର ଠାରୁ ମଧ୍ୟ ଅଧିକ। ଯକ୍ଷ୍ମା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ। ଏଣୁ ଯକ୍ଷ୍ମାର ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏଚ୍‌ଆଇଭି ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ରହୁଥିବାରୁ ସେମାନେ ଯକ୍ଷ୍ମାରେ ପୀଡ଼ିତ ହେବାର ଅଧିକ ସମ୍ଭାବନା ରହିଥାଏ। ଏଣୁ ଏଚ୍‌ଆଇଭି ଆକ୍ରାନ୍ତ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଗଞ୍ଜାମ ଜିଲ୍ଲାରେ ଯକ୍ଷ୍ମା ସ୍ଥିତି ଚିନ୍ତାଜନକ ରହିଛି। ଏହାର ନିରାକରଣ ପାଇଁ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ବହୁ ଯୋଜନା ହାତକୁ ନିଆଯାଉଛି। ମାଗଣା ପରୀକ୍ଷା, ଚିକିତ୍ସା ଓ ଔଷଧ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୨୦ରେ ୪ହଜାର ୪୨୮ ଯକ୍ଷ୍ମା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ୩ହଜାର ୮୮୬ଜଣ ଉପଯୁକ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ପ୍ରାୟ ୨୬୫ (୬ପ୍ରତିଶତ) ଜଣଙ୍କ ମୃତ୍ୟୁ ଘଟିଛି।